ସୁନ୍ଦରୀ ପାକିସ୍ଥାନୀ ଯୁବତୀଙ୍କ ପ୍ରେମଜାଲରେ ପଡି ଦେଉଥିଲେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ଗୋପନ ତଥ୍ଯ

ବାଲେଶ୍ବର ୧୫।୯: (ବୁଦ୍ଧେଶ୍ୱର ମଲ୍ଲିକ) ବିଦେଶୀ ଏଜେଣ୍ଟଙ୍କୁ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ଗୋପନ ତଥ୍ୟ ଯୋଗାଇବା ଅଭିଯୋଗରେ ୪ ଠିକା କର୍ମଚାରୀଙ୍କୁ ଗିରଫ କରାଯାଇଛି। ଏମାନେ ସମସ୍ତେ ପାକିସ୍ଥାନର ସୁନ୍ଦରୀ ଆଇଏସଆଇ ଏଜେଣ୍ଟଙ୍କ ହନି ଟ୍ରାପରେ ପଡି ଚାନ୍ଦିପୁରର ଗୋପନ ତଥ୍ଯ ଯୋଗାଉଥିବା ଅଭିଯୋଗ ହୋଇଛି ।

ଗିରଫ ଚାରିଜଣ ହେଲେ ଚାନ୍ଦିପୁର ଥାନା ଅନ୍ତର୍ଗତ ଝାମ୍ପୁରାର ବସନ୍ତ ବେହେରା (୫୨) ଓ ଶ୍ରୀକୋଣାର ସେକ୍ ମୁସାଫିର ( ୩୨ ), ବାଲେଶ୍ବର ସଦର ଥାନା ଅନ୍ତର୍ଗତ ବୁଆଁଳର ହେମନ୍ତ କୁମାର ମିସ୍ତ୍ରୀ ( ୫୨), ପଳାସିଆର ତାପସ ରଞ୍ଜନ ନାୟକ ( ୪୧ ) । ବସନ୍ତ ଓ ମୁସାଫିର ଏସି ଅପରେଟର ଭାବରେ କାମ କରୁଥିବାବେଳେ ହେମନ୍ତ ଜେନେରେଟର ଅପରେଟର ଭାବରେ କାମ କରୁଥିଲେ । ଏହି ତିନି ଜଣ ୩ନଂ ଲଞ୍ଚପ୍ୟାଡ୍‌ରେ କାମ କରୁଥିଲେ । ସେହିପରି ତାପସ ଆଇଟିଆରର ମୁଖ୍ଯ ଫାଟକରେ କାମ କରୁଥିଲେ ।

ଏମାନଙ୍କଠାରୁ କ୍ଷେପଣାସ୍ତ୍ର ଘାଟିର ଗୋପନୀୟ ତଥ୍ଯ ଆଣିବା ପାଇଁ ପାକିସ୍ଥାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ସୁନ୍ଦରୀ ଏଜେଣ୍ଟମାନଙ୍କୁ ନିୟୋଜିତ କରିଥିଲା । ଏମାନଙ୍କୁ ପ୍ରଥମେ ଫେସବୁକ ଜରିଆରେ ସେମାନେ ନିଜ ପ୍ରେମ ଜାଲରେ ଫସାଇଥିଲେ । ପରେ ଟେଲିଫୋନ ନମ୍ବର ମଧ୍ଯ ଆଦାନ ପ୍ରଦାନ କରିଥିଲେ । ଏହାପରେ ନିୟମିତ ସେମାନେ କଥାବାର୍ତ୍ତା ଆରମ୍ଭ କରିଥିଲେ । ପରବର୍ତ୍ତି ସମୟରେ ସେମାନେ ଭିଡିଓ କଲିଂ ମାଧ୍ଯମରେ ଯୋଗାଯୋଗ ରକ୍ଷା କରିଥିଲେ । ଭିଡିଓ କଲ୍ ରେ ଯୁବତୀମାନେ ନିଜର ଅଙ୍ଗ ପ୍ରଦର୍ଶନ କରୁଥିଲେ । ପରବର୍ତ୍ତି ସମୟରେ ସେମାନେ ଓ୍ବାଟସଅପ୍ ମାଧ୍ଯମରେ ବି ଚାଟିଂ କରୁଥିଲେ । ଏବଂ ଚାଟିଂ ପରେ ମେସେଜ୍ ସବୁ ଅଭିଯୁକ୍ତମାନେ ଡିଲିଟ୍ କରିଦେଉଥିଲେ । କ୍ଷେପଣାସ୍ତ୍ର ଘାଟିର ତଥ୍ଯ ମଧ୍ଯ ଅଭିଯୁକ୍ତମାନେ ଓ୍ବାଟସଅପ୍ ମାଧ୍ଯମରେ ପ୍ରଦାନ କରୁଥିଲେ । ଏହି ତଥ୍ଯ ଦେବା ପାଇଁ ସେମାନଙ୍କ ଏକାଉଣ୍ଟରେ ଟଙ୍କା ମଧ୍ଯ ଦିଆଯାଇଥିଲା । ତେବେ ଏହି ୪ ଜଣଙ୍କ ମଧ୍ୟରୁ ବସନ୍ତ ବେହେରା ମାଷ୍ଟରମାଇଣ୍ଡ ଥିଲେ ।

ଏହି ୪ ଜଣଙ୍କ ପାଖକୁ ଭାରତ-ପାକ୍‌ ସୀମା ରାଜସ୍ଥାନ ନିକଟରୁ ବାରମ୍ବାର ଅନ୍ତର୍ଜାତୀୟ କଲ୍ ଆସିବାରୁ ସେମାନେ ଗୁଇନ୍ଦା ସଂସ୍ଥାର ସଂନ୍ଦେହ ଘେରକୁ ଆସିଥିଲେ । ଭାରତୀୟ ଗୁଇନ୍ଦା ଏଜେନ୍ସିଗୁଡ଼ିକ ତଥ୍ୟପ୍ରମାଣ ପାଇବା ପରେ ଓଡ଼ିଶା ପୋଲିସ ଡିଜିଙ୍କୁ ଏନେଇ ଅବଗତ କରାଯାଇଥିଲା। ଏହା ପରେ ଓଡିଶା ପୋଲିସ ତାଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା ।

ଅଭିଯୁକ୍ତଙ୍କୁ ଧରିବା ଲାଗି ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ଓ ଏସ୍‌ପିଙ୍କ ନେତୃତ୍ୱରେ ୬ଟି ଟିମ୍‌ ଗଠନ କରାଯାଇଥିବା ବେଳେ ଏଥିରେ ୬ ଜଣ ଡିଏସ୍‌ପି, ୬ ଜଣ ଇନ୍ସପେକ୍ଟର ସାମିଲ ହୋଇଥିଲେ। ପ୍ରାୟ ତିନି ଦିନ ଧରି ସାଦା ପୋଷାକରେ ଏହି ଅଧିକାରୀମାନେ ୪ ସନ୍ଦିଗ୍ଧଙ୍କ ଉପରେ ନଜର ରଖିବା ପରେ ସୋମବାର ରାତିରେ ଫୋର୍ସ ସହାୟତାରେ ସମସ୍ତଙ୍କୁ ଘରୁ ଉଠାଇ ନେଇଥିଲେ। ଅଭିଯୁକ୍ତମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ଅନ୍ୟ କାର୍ଯ୍ୟକଳାପକୁ ପୋଲିସ ଯାଞ୍ଚ ପରିସରଭୁକ୍ତ କରିଥିବା ଜଣାପଡ଼ିଛି।

ଏ ନେଇ ଚାନ୍ଦିପୁର ଥାନା କେସ୍‌ ନମ୍ବର ୭୬/୨୦୨୧ରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତମାନଙ୍କ ବିରୋଧରେ ୧୨୦-ବି, ୧୨୧-ଏ/୩୪ ଆଇପିସି-ଆର/ଡବ୍ଲୁ-ସେକ୍ସନ ୩, ୪ ଓ ୫ ଦଫାରେ ମାମଲା ରୁଜୁ କରାଯାଇଛି। ଆଜି ମଧ୍ଯ ପୋଲିସ ଚାନ୍ଦିପୁର ଥାନାରେ ସେମାନଙ୍କ ଜେରା କରିଥିଲା । ଅପରାହ୍ନରେ ସେମାନଙ୍କୁ ଏସଡିଜେଏମ କୋର୍ଟକୁ ଚାଲାଣ କରାଯାଇଛି । ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇଦିଆଯାଇଛି । ଘଟଣା ସଂପର୍କରେ ତଦନ୍ତ ଜାରି ରହିଥିବା ବେଳେ ଏଥିରେ ଆଉ କେଉଁମାନଙ୍କର ସଂପୃକ୍ତି ରହିଛି ସେ ବାବଦରେ ଖୋଳତାଡ଼ ଚାଲିଥିବା ପୋଲିସ ଦେଇଛି।