ବଲିଉଡ ଅଭିନେତା ସୋନୁ ସୁଦଙ୍କ ଘରେ ଆୟକର ଚଢାଉ

ମୁମ୍ବାଇ ୧୫/୦୯ : (ସଂକେତ୍ ଟିଭି) ବଲିଉଡ ଅଭିନେତା ସୋନୁ ସୁଦଙ୍କ ଘରେ ଆୟକର ଚଢାଉ ହୋଇଛି । ବୁଧବାର ଦିନ ସୋନୁଙ୍କ ମୁମ୍ବାଇ ସ୍ଥିତ ବାସଭବନ ଓ ଅଫିସରେ ଆୟକର ବିଭାଗ ଚଢାଉ କରିଛି । ଏହାକୁ ଆୟକର ବିଭାଗ ଅଧିକାରୀ ଏକ ସର୍ଭେ ବୋଲି କହୁଥିବାବେଳେ ତାଙ୍କ ଘରୁ କୌଣସି ସାମଗ୍ରୀ ସିଜ୍ କରାଯାଇନଥିବା ସୂଚନା ମିଳିଛି।

ସୂଚନା ଅନୁସାରେ କେଜ୍ରିୱାଲ ସରକାରଙ୍କ ଦ୍ୱାରା ସୋନୁ ସୁଦଙ୍କୁ ଦିଲ୍ଲୀ ସରକାରଙ୍କ ବ୍ରାଣ୍ଡ ଆମ୍ବାସେଡର କରିବା ଓ ତାଙ୍କ ଅଭିଯାନ ‘ଦେଶର ମେଣ୍ଟର’ରେ ସାମିଲ ହେବାପରେ ଆୟକର ବିଭାଗ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା କୁହାଯାଉଛି।
ସୋନୁ ସୁଦଙ୍କୁ ଦିଲ୍ଲୀ ସରକାର ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ଜଡିତ କାର୍ଯ୍ୟକ୍ରମର ବ୍ରାଣ୍ଡ ଆମ୍ବାସେଡର ଘୋଷଣା କରିଥିଲେ । ଏହି ସମୟରେ ସେ ଆମ ଆଦମୀ ପାର୍ଟିରେ ସାମିଲ ହୋଇପାରନ୍ତି ବୋଲି ଖୁବ୍ ଚର୍ଚ୍ଚା ହେଉଥିଲା। କିନ୍ତୁ ଖୋଦ୍ ସୋନୁ ସୁଦ୍ ଏହାର ଖଣ୍ଡନ କରିଛନ୍ତି।

ଆୟକର ବିଭାଗ ଟିମ ବର୍ତ୍ତମାନ ସୋନୁ ସୁଦଙ୍କ ଅଫିସରେ ଉପସ୍ଥିତ ଅଛନ୍ତି। ତାଙ୍କର ଗୋଟିଏ ପ୍ରପର୍ଟିର ଆକାଉଣ୍ଟ ବୁକରେ କିଛି ତ୍ରୁଟି ଥିବା ଅଭିଯୋଗ ପରେ ଆଇଟି ଟିମ ସମ୍ପତ୍ତି ସର୍ଭେ କରୁଛନ୍ତି। ଆଇଟି ଟିମ ସୋନୁ ସୁଦ ଓ ତାଙ୍କ କମ୍ପାନୀ ସହ ଜଡିତ ୬ଟି ସ୍ଥାନ ଉପରେ ସର୍ଭେ କରୁଛନ୍ତି।

ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ରହୁଥିବା ସୋନୁ ସୁଦ୍ ଆୟକର ବିଭାଗର ସର୍ଭେକୁ ନେଇ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। ସେ ମଙ୍ଗଳବାର ଟ୍ୱିଟ୍ କରି କହିଥିଲେ ଯେ, ‘ଚାଲ ଏକ ନୂଆ ରାସ୍ତା ତିଆରି କରିବା … ଅନ୍ୟ କାହା ପାଇଁ’।

ସୋନୁ ସୁଦ୍ କରୋନା କାଳରେ ପ୍ରବାସୀଙ୍କୁ ସହାୟତାର ହାତ ବଢାଉ ବେଶ୍ ଚର୍ଚାର ପରିସରକୁ ଆସିଥିଲେ । ହେଲେ ସହାୟତା ପାଇଁ ସୋନୁଙ୍କୁ କେଉଁଠାରୁ ଫଣ୍ଡିଂ ଆସୁଛି ତାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା।