ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ଗୁପ୍ତତଥ୍ୟ ଲିକ୍ ଘଟଣାର ତଦନ୍ତ ଦାୟିତ୍ବ ନେଲା କ୍ରାଇମବ୍ରାଞ୍ଚ

ବାଲେଶ୍ବର ୧୫।୯: (ସଂକେତ୍ ଟିଭି) ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଗୁପ୍ତତଥ୍ୟ ଲିକ୍ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ବିଦେଶୀ ଏଜେଣ୍ଟଙ୍କୁ ଗୋପନ ତଥ୍ୟ ଯୋଗାଇବା ଅଭିଯୋଗରେ ୪ ଠିକା କର୍ମଚାରୀଙ୍କୁ ଗିରଫ କରାଯାଇଛି । ଏହି ଘଟଣାରେ ତଦନ୍ତ ଭାର କ୍ରାଇମବ୍ରାଞ୍ଚ ନେଇଛି । ଏନେଇ କ୍ରାଇମବ୍ରା଼୍ଚ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି ।

କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସପି ପ୍ରଶାନ୍ତ ବିଷୋୟୀଙ୍କ ନେତୃତ୍ୱରେ ୪ ଜଣିଆ ତଦନ୍ତକାରୀ ଦଳ ଏହି ମାମଲାର ତଦନ୍ତ ଭାର ନେବା ପାଇଁ ବାଲେଶ୍ୱର ଅଭିମୁଖେ ବାହାରିଛନ୍ତି ।

ସେପଟେ ବାଲେଶ୍ବର ପୋଲିସ ଆଜି ୪ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । ବାଲେଶ୍ୱର ଏସଜେଡିଏମ୍ କୋର୍ଟ ତାଙ୍କ ଜାମିନ ନାମଞ୍ଜୁର କରିବା ସହିତ ସେମାନଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି ।

ବିଦେଶୀ ଏଜେଣ୍ଟଙ୍କୁ ଗୋପନ ତଥ୍ୟ ଯୋଗାଇବା ଅଭିଯୋଗରେ ଚାନ୍ଦିପୁର ଆଇଟିଆରର ୪ ଠିକା କର୍ମଚାରୀଙ୍କୁ ମଙ୍ଗଳବାର ଦିନ ଗିରଫ କରାଯାଇଥିଲା । ସେମାନଙ୍କ ନାଁରେ ଦେଶଦ୍ରୋହ ସହ ଅନେକ ସଙ୍ଗୀନ ଦଫାରେ ମାମଲା ରୁଜୁ ହୋଇଛି । ଗିରଫ ଚାରି ଜଣ ହେଲେ ବସନ୍ତ ବେହେରା, ସେକ୍‌ ମୁସାଫିର, ତାପସ ବେହେରା ଓ ହେମନ୍ତ ମିସ୍ତ୍ରୀ । ଏମାନଙ୍କ ମଧ୍ଯରୁ ତିନି ଜଣ ଆଇଟିଆର ୩ନଂ ଲଞ୍ଚପ୍ୟାଡ୍‌ରେ ଠିକା କର୍ମଚାରୀଭାବେ ନିୟୋଜିତ ଥିବାବେଳେ ତାପସ ଆଇଟିଆର ର ମୁଖ୍ଯ ଗେଟ୍ ରେ କାମ କରୁଥିଲେ ।