ଥାନାରୁ ପୋଲିସ ଗାଡି ଧରି ଚମ୍ପଟ ମାରିଲା ଚୋର

ଢେଙ୍କାନାଳ ୧୫।୯: (ସଂକେତ୍ ଟିଭି) ପୋଲିସ ଗାଡି ଧରି ଚମ୍ପଟ ମାରିଲା ଚୋର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳରେ । ରାତିରେ ଜଣେ ଯୁବକକୁ ଢେଙ୍କାନାଳ ଟାଉନ ଥାନା ପୋଲିସ ଚୋର ସନ୍ଦେହରେ ଅଟକ ରଖିଥିଲା । ସକାଳେ ତାକୁ ପୋଲିସ ଛାଡି ଦେବାରୁ ସେ ପୋଲିସ ଗାଡିକୁ ଧରି ଚମ୍ପଟ ମାରିଥିଲା । ତାକୁ ଗୋଡ଼ାଇ ଗୋଡାଇ ପୋଲିସ ଖୁଣ୍ଟୁଣି ନିକଟ ବନଦୁର୍ଗା ମନ୍ଦିର ପାଖରୁ ଗାଡ଼ିକୁ ଉଦ୍ଧାର କରିବା ସହ ଚୋରକୁ ଗିରଫ କରିଥିଲା।

ସୂଚନା ଅନୁସାରେ ମଙ୍ଗଳବାର ରାତିରେ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଗଁନ୍ଦିଆ ଥାନା ହାଟ ବାଇଁଶିଆର ଧର୍ମେନ୍ଦ୍ର ସ୍ୱାଇଁ ସନ୍ଦେହ ଜନକ ଭାବରେ ବୁଲୁଥିବା ଦେଖିବାକୁ ପାଇଥିଲା। ପୋଲିସ ତାକୁ ଆଣି ଥାନାରେ ଅଟକ ରଖି ପଚରାଉଚରା କରିଥିଲା । ଏବଂ ଆଜି ସକାଳେ ତାକୁ ଛାଡ଼ି ଦେଇଥିଲା। ସେହି ସମୟରେ ଥାନା ଆଗରେ ଥିବା ପୋଲିସ ଗାଡିକୁ ଧରି ଧର୍ମେନ୍ଦ୍ର ଚମ୍ପଟ ମାରିଥିଲେ। ଏହା ଦେଖି ପୋଲିସ ପେଟ୍ରୋଲିଂ ଗାଡିରେ ତାର ପିଛା କରିଥିଲା । ଶେଷରେ ଖୁଣ୍ଟୁଣି ଥାନା ଅଞ୍ଚଳରୁ ଗାଡ଼ିକୁ ଅଟକାଇବା ସହିତ ଅଭିଯୁକ୍ତକୁ କାବୁ କରିଥିଲା। ପୋଲିସ ଅଭିଯୁକ୍ତକୁ ଥାନାରେ ରଖି ଅଧିକ ପଚରାଉଚରା କରୁଛି ।