ପଞ୍ଜାବ ମୁଖ୍ଯମନ୍ତ୍ରୀ ପଦରୁ ଇସ୍ତଫା ଦେଇ କଣ କହିଲେ କ୍ଯାପଟେନ୍ ଅମରିନ୍ଦର

ପଞ୍ଜାବ ୧୮/୦୯ : (ସଂକେତ ଟିଭି) କ୍ୟାପଟେନ ଅମରିନ୍ଦର ସିଂ ପଞ୍ଜାବର ସିଏମ ପଦରୁ ଇସ୍ତଫା ଦେଇଛନ୍ତି। ପଦ ଛାଡିବା ନିଷ୍ପତ୍ତି ସେ ଆଜି ହିଁ ନେଇଥିଲେ ଏବଂ ରାଜନୀତି ଭବିଷ୍ଯତ କଣ ହେବ ତାଙ୍କ ପାଇଁ ବିକଳ୍ପ ଖୋଲା ଅଛି ବୋଲି ସେ ଇସ୍ତଫା ଦେଇ କହିଛନ୍ତି ।

ତାଙ୍କ ଇସ୍ତଫା ପରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ସେ କହିଛନ୍ତି ଯେ “ମୁଁ ସକାଳେ କଂଗ୍ରେସ ସଭାପତିଙ୍କ ସହ କଥା ହୋଇଥିଲି । ଏବଂ ମୁଁ ଇସ୍ତଫା ଦେବା ସଂପର୍କରେ କହିଥିଲି। ମୁଁ ସରକାର ଚଲାଇ ପାରୁ ନାହିଁ। ତେଣୁ ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଆଜି ଇସ୍ତଫା ଦେଉଛି ବୋଲି ସେ କହିଥିଲେ ।

ତେବେ ପରବର୍ତ୍ତୀ ମୁଖ୍ଯମନ୍ତ୍ରୀ କିଏ ହେବ ବୋଲି ଅମରିନ୍ଦର ସିଂଙ୍କୁ ପଚରାଯିବାରୁ ସେ କହିଥିଲେ ଯେ ” ଯାହା ଉପରେ ବିଶ୍ବାସ କରୁଛନ୍ତି ତାଙ୍କୁ ମୁଖ୍ୟମନ୍ତ୍ରୀ କରନ୍ତୁ।”

ସେ ନିଜର ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ, “ଗତ କିଛି ମାସ ମଧ୍ୟରେ ତୃତୀୟ ଥର ପାଇଁ ବିଧାୟକଙ୍କୁ ଦିଲ୍ଲୀ ଡକାଯାଇଛି। ଏହି ଘଟଣାରୁ ଏମିତି ଲାଗୁଥିଲା ଯେ, ପାର୍ଟି ମୋ ଉପରେ ସନ୍ଦେହ କରୁଥିଲା ଯେ, ମୁଁ ସରକାର ଚଲାଇ ପାରୁ ନାହିଁ। ଏଥିପାଇଁ ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଆଜି ଇସ୍ତଫା ଦେଇଛି। ବର୍ତ୍ତମାନ ପାର୍ଟି ଯାହାକୁ ଭରସା ଲାଗୁଛି ତାକୁ ନେତା କରି ପାରିବ। ପାର୍ଟି ଯାହାକୁ ଚାହିଁବ ମୁଖ୍ୟମନ୍ତ୍ରୀ କରି ପାରିବ।

ସେପଟେ ଗୋଟିଏ ମାସରେ ଏହା ତୃତୀୟ ଘଟଣା ଯେଉଁଠି ମୋତେ ବିଧାୟକ ଦଳ ବୈଠକ ପାଇଁ ସୂଚନା ମଧ୍ୟ ଦିଆଗଲା ନାହିଁ। ଏହି ପରି ମୋତେ ଅପମାନିତ କରାଗଲା ବୋଲି କ୍ୟାପଟେନ୍ କହିଛନ୍ତି।

ଭବିଷ୍ୟତର ରାଜନୀତିକୁ ନେଇ କ୍ୟାପଟେନ୍ ଅମରିନ୍ଦର କହିଛନ୍ତି, ଏହା ଉପରେ ବିକଳ୍ପ ଖୋଲା ଅଛି ଏବଂ ମୁଁ ଶୀଘ୍ର ଏହା ଉପରେ ନିଷ୍ପତ୍ତି ନେବି। କ୍ୟାପଟେନ୍ ଅମରିନ୍ଦର ସିଂହ କହିଛନ୍ତି, ମୁଁ ନିଜ ଲୋକଙ୍କ ସହ ଆଲୋଚନା ପରେ ଭବିଷ୍ୟତ ବିଷୟରେ ନିଷ୍ପତ୍ତି ନେବି। ଏବେ ମଧ୍ୟ ମୁଁ କଂଗ୍ରେସରେ ଅଛି। କ୍ୟାପଟେନ୍ ଅମରିନ୍ଦର ସିଂହ ବିଜେପିରେ ଯୋଗ ଦେବା ପ୍ରଶ୍ନ ଉପରେ କୌଣସି ଜବାବ ଦେଇ ନାହାନ୍ତି।

ମୁଖ୍ଯମନ୍ତ୍ରୀ ରେସ୍ ରେ କିଏ ?
କ୍ୟାପଟେନ ଅମରିନ୍ଦର ସିଂଙ୍କ ଇସ୍ତଫା ପରେ ପଞ୍ଜାବର ନୂତନ ସିଏମ୍ ପାଇଁ ସୁନୀଲ ଜାଖରଙ୍କ ନାମ ଆଗରେ ଚାଲିଛି। ଜାକର ପଞ୍ଜାବ କଂଗ୍ରେସର ସଭାପତି ରହିଛନ୍ତି। ସେ 2012 ରୁ 2017 ପର୍ଯ୍ୟନ୍ତ ପଞ୍ଜାବ ବିଧାନସଭାରେ ବିରୋଧୀ ଦଳର ନେତା ଥିଲେ।

ଲୋକସଭା ଉପ-ନିର୍ବାଚନ 2017 ରେ ଗୁରୁଦାସପୁରରୁ ସାଂସଦ ହୋଇଥିଲେ। ଅବୋହର ବିଧାନସଭା ଆସନରୁ ତିନିଥର ବିଧାୟକ ନିର୍ବାଚିତ ହୋଇଥିଲେ। ସେ ପୂର୍ବତନ ଲୋକସଭା ବାଚସ୍ପତି ବଳରାମ ଜାଖରଙ୍କ ପୁଅ। ସେ ପଞ୍ଜାବ କଂଗ୍ରେସର ବଡ ନେତାଙ୍କ ମଧ୍ୟରେ ଗଣନା କରନ୍ତି।