ପର୍ଣ୍ଣ ଫିଲ୍ମ ନିର୍ମାଣ ମାମଲାରେ ରାଜ କୁନ୍ଦ୍ରାଙ୍କୁ ମିଳିଲା ଜାମିନ୍

ମୁମ୍ବାଇ ୨୦/୦୯ : (ସଂକେତ ଟିଭି) ଅଶ୍ଲୀଳ ଫିଲ୍ମ ନିର୍ମାଣ ମାମଲାରେ ଗିରଫ ହୋଇଥିବା ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଆଜି ମୁମ୍ବାଇ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ସେ ଗିରଫ ହୋଇ ୨ମାସ ହେବ ଜେଲରେ ଥିଲେ। ଆଜି ମୁମ୍ବାଇ କୋର୍ଟ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଜାମିନ ପ୍ରଦାନ କରିବା ସହ କୁନ୍ଦ୍ରାଙ୍କୁ ୫୦,୦୦୦ ଟଙ୍କାର ବଣ୍ଡ ଦେବାକୁ କହିଛନ୍ତି।

ରାଜ କୁନ୍ଦ୍ରାଙ୍କ କମ୍ପାନିର ଆଇଟି ମୁଖ୍ୟ ରିଆନ୍ ଥର୍ପେଙ୍କୁ ମଧ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଅଶ୍ଳୀଳ ଫିଲ୍ମ ତିଆରି ତଥା ବିତରଣକୁ ନେଇ ଚଳିତ ବର୍ଷ ଜୁଲାଇରେ ମୁମ୍ବାଇ ପୁଲିସ କ୍ରାଇମ ଶାଖା ଦ୍ୱାରା ଉଭୟ ରାଜ କୁନ୍ଦ୍ରା ଏବଂ ରିଆନ ଥର୍ପେ ଗିରଫ ହୋଇଥିଲେ।

ସୂଚନା ଅନୁଲାପେ, ଚଳିତ ବର୍ଷ ଫେବ୍ରୁଆରିରେ ମୁମ୍ବାଇର ମଡ ଅଞ୍ଚଳରେ ଥିବା ଏକ ବଙ୍ଗଳା ଉପରେ ଚଢ଼ାଉ ବେଳେ ଏହି ମାମଲା ପ୍ରଥମେ ସାମ୍ନାକୁ ଆସିଥିଲା। ଅଧିକାରୀମାନେ ଜାଣିବାକୁ ପାଇଥିଲେ ଯେ ବଙ୍ଗଳା ଭିତରେ ଅଶ୍ଳୀଳ ଫିଲ୍ମର ସୁଟିଂ କରାଯାଉଛି।

ପରେ ଏହି ଘଟଣାର ଅନୁସନ୍ଧାନ କରି ରାଜ କୁନ୍ଦ୍ରାଙ୍କ ସହଯୋଗୀ ଉମେଶ କାମତଙ୍କୁ ଗିରଫ କରାଯାଇଥିଲା। ଏହା ପରେ ପରେ ରାଜ କୁନ୍ଦ୍ରାଙ୍କ ନାଁ ସାମ୍ନାକୁ ଆସିବା ପରେ ତାଙ୍କୁ ଜୁଲାଇରେ ଗିରଫ କରାଯାଇଥିଲା। ଏହାପୂର୍ବରୁ, କ୍ରାଇମ ବ୍ରାଞ୍ଚ ରାଜ କୁନ୍ଦ୍ରା, ରିଆନ୍ ଥର୍ପେ ଏବଂ ଅନ୍ୟ ଦୁଇଜଣଙ୍କ ବିରୋଧରେ ୧୪୬୭ ପୃଷ୍ଠାର ସପ୍ଲିମେଣ୍ଟାରି ଚାର୍ଜସିଟ୍ ଦାଖଲ କରିଥିଲେ।

ଚାର୍ଜସିଟ ଅନୁଯାୟୀ, ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ମୁମ୍ବାଇ ପୋଲିସକୁ ଦେଇଥିବା ବିବୃତ୍ତିରେ କହିଛନ୍ତି ଯେ ସେ ତାଙ୍କ କାମରେ ବ୍ୟସ୍ତ ଥିବାରୁ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ କାର୍ଯ୍ୟକଳାପ ବିଷୟରେ ଅବଗତ ନୁହଁନ୍ତି।

ଚାର୍ଜସିଟ ଅନୁଯାୟୀ, ଶିଳ୍ପା ଶେଟ୍ଟୀ ପୋଲିସକୁ କହିଛନ୍ତି ଯେ ସେ ହଟସଟ ଏବଂ ବଲିଉଡ ଫେମ ଆପ ବିଷୟରେ କିଛି ଜାଣି ନାହାଁନ୍ତି ଯାହାକୁ ଅଭିଯୁକ୍ତ ଆପତ୍ତିଜନକ ବିଷୟବସ୍ତୁ ଅପଲୋଡ୍ ଏବଂ ଷ୍ଟ୍ରିମ୍ କରିବା ପାଇଁ ବ୍ୟବହାର କରିଥିଲେ।

ଅଭିନେତ୍ରୀ ଶେର୍ଲିନ୍ ଚୋପ୍ରା ତାଙ୍କ ବିବୃତ୍ତିରେ ପୋଲିସକୁ କହିଛନ୍ତି ଯେ କୁଣ୍ଡ୍ରା ତାଙ୍କୁ ବିନା ଦ୍ୱିଧାରେ ହଟ୍‌ସଟ୍‌ ଆପ୍‌ରେ କାମ କରିବାକୁ କହିଥିଲେ।