ଗିରଫଦାରୀ ଭୟରେ ନଦୀକୁ ଡେଇଁ ଯୁବକ ମୃତ, ଶବ ରଖି ରାସ୍ତାରୋକ କଲେ ଉତ୍ଯକ୍ତ ଲୋକେ

ବାଲେଶ୍ବର ୨୧।୯: (ବୁଦ୍ଧେଶ୍ବର ମଲ୍ଲିକ) ଗିରଫଦାରି ଭୟରେ ଚୋରା ମଦ ନେଇଯାଉଥିବା ଯୁବକ ନଦୀକୁ ଡେଇଁ ହାରିଲେ ଜୀବନ । ୨୪ ଘଣ୍ଟା ପରେ ଯୁବକଙ୍କ ମୃତ ଦେହ ନଦୀରୁ ଉଦ୍ଧାର ହୋଇଥିବାବେଳେ ମୃତକଙ୍କୁ ସଂପର୍କୀୟ ମାନେ ଜିଲ୍ଲାପାଳଙ୍କ ଅଫିସ ଆଗରେ ଶବ ରଖି ଦୀର୍ଘ ତିନି ଘଣ୍ଟା ଧରି ରାସ୍ତା ରୋକ କରିଥିଲେ ।

ସୂଚନା ଅନୁସାରେ, ସୋମବାର ଦିନ ପୁରୁଣା ବାଲେଶ୍ୱରରୁ ୪ଟି ବାଇକ ଯୋଗେ ୪ ଜଣ ଯୁବକ ଚୋରା ଦେଶୀ ମଦ ନେଇ ବାହାନଗା ଗୋପାଳପୁର ଆଡକୁ ଯାଉଥିଲେ । ଖବର ପାଇ ବାଲେଶ୍ୱର ଅବକାରୀ ମୋବାଇଲ୍ ସ୍କ୍ବାର୍ଡ ସେମାନଙ୍କୁ ପିଛା କରିଥିଲେ । ଏହା ଦେଖି ଖନ୍ତାପଡା ଥାନା ଶ୍ରୀଜଙ୍ଗ-ତାଳପଦା ଲୁଣାବନ୍ଧ ଦେଇ ବାଇକ୍ ଛାଡି ଖସିଯିବାକୁ ଉଦ୍ଯମ କରୁଥିବାବେଳେ ତିନି ଜଣ ଧରାପଡିଥିଲେ । ଅନ୍ଯ ଜଣେ ଯୁବକ ପୁରୁଣା ବାଲେଶ୍ବର ଅଞ୍ଚଳର ସପନ ମାଝି ବିଲରେ ଦୌଡ଼ି ପଳାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲା । ଶେଷରେ ସପନ ଶ୍ରୀଜଙ୍ଗ ନିକଟ କଣ୍ଟିଆଚିରା ନଦୀକୁ ଡେଇଁ ପଡିଥିଲା । ଅବକାରୀ ବିଭାଗ କର୍ମଚାରୀ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ସପନକୁ ପାଇନଥିଲେ । ଦୀର୍ଘ ସମୟ ଧରି ସେ ନ ଫେରିବାରୁ ବାଲେଶ୍ବରରୁ ଅଗ୍ନୀଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ଯ ଜାରି ରଖିଥିଲେ । ତେବେ ମଙ୍ଗଳବାର ଦିନ ଭୋର ସମୟରେ ସପନର ମୃତ ଦେହ ଶ୍ରୀଜଙ୍ଗ ଠାରୁ ୩ କିଲୋମିଟର ଦୂର କଳାମାଟିଆପାହିରୁ ଉଦ୍ଧାର ହୋଇଛି ।

ସେପଟେ ଘଟଣାକୁ ନେଇ ମୃତ ଯୁବକର ଭାଇ ଅଭିଯୋଗ କରିଛି ତାର ଭାଇ ସପନକୁ ଅବକାରୀ କର୍ମଚାରୀ ନଦୀରେ ପକାଇ ମାରିଦେଛନ୍ତି । ଜଣେ ପ୍ରତ୍ୟକ୍ଷଦର୍ଶୀ ମହିଳା ସପନକୁ ଅବକାରୀ ବିଭାଗ ଦୁଇ କର୍ମଚାରୀ ଗୋଡ଼ାଇବାରୁ ସେ ନଦୀରେ ପଡିଯାଇଥିବାର ପ୍ରକାଶ କରିଛନ୍ତି ।

ଆଜି ମୃତକଙ୍କ ପରିବାର ଲୋକେ ତଥା ସଂପର୍କୀୟମାନେ ଯୁବକଙ୍କ ମୃତ ଦେହ ଆଣି ବାଲେଶ୍ବର ଜିଲ୍ଲାପାଳଙ୍କ ଅଫିସ ଆଗରେ ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହା ସହିତ ସେମାନେ ଟାୟାର ଜାଳି ରାସ୍ତା ରୋକ କରିଥିଲେ । ଦୀର୍ଘ ତିନି ଘଣ୍ଟା ଧରି ସେମାନେ ରାସ୍ତା ଅବରୋଧ କରିଥିଲେ । ପରେ ବାଲେଶ୍ବର ତହସିଲଦାର ଓ ପୋଲିସ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରି ରେଡକ୍ରସ ପାଣ୍ଠିରୁ ଦଶ ହଜାର ଟଙ୍କା ଦେଇତିଲେ । ଏହା ସହିତ ଯୁବକଙ୍କୁ ପିଛା କରିଥିବା ଅବକାରୀ ସ୍କ୍ବାର୍ଡ ବିରୁଦ୍ଧରେ ତଦନ୍ତ କରାଯାଇ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବାର ପ୍ରତିଶୃତ ଦେବା ପରେ ଆନ୍ଦୋଳନ ପ୍ରତ୍ଯାହୃତ ହୋଇଥିଲା ।