ଠାବ ହେଲା ମାଓ କ୍ୟାମ୍ପ, ଜଓ୍ବାନଙ୍କ ଅତର୍କିତ ଚଢାଉରେ ଛତ୍ରଭଙ୍ଗ ଦେଲା ଟପ୍ ମାଓ ନେତା ସୁରାନା

ମାଲକାନଗିରି ୨୩।୦୯: (ସଂକେତ୍ ଟିଭି) ମାଲକାନଗିରି ଜିଲ୍ଲା ମାଥିଲି ଥାନା ତୁଳସୀ ପାହାଡ଼ ନିକଟ କିରିମିଟି ଗାଁ ନିକଟରେ ମାଓ କ୍ୟାମ୍ପ ଠାବ ହୋଇଛି । ଦୀର୍ଘ ସମୟ ଧରି ଗୁଳି ବିନିମୟ ପରେ ପୋଲିସ ସେଠାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛି ।

ସୂଚନା ଅନୁଯାୟୀ, କିରିମିଟି ଗାଁ ନିକଟରେ ନକ୍ସଲ ମାନେ ଏକ କ୍ୟାମ୍ପ କରି ରହିଥିଲେ । ଏନେଇ ପୋଲିସର ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା । ଏହାପରେ ଜବାନଙ୍କ ପକ୍ଷରୁ କୁମ୍ବିଂ ଅପରେସନ ଆରମ୍ଭ କରାଯାଇଥିଲା । ଏହି କୁମ୍ବିଂ ଅପରେସନରେ ଏସଓଜି ଏବଂ ଡିଭିଏଫ ବାହୀନି ସାମିଲ ଥିଲେ । ତେବେ ସୁରକ୍ଷା କର୍ମୀଙ୍କ ଆସିବା ଦେଖି ମାଓବାଦୀ ମାନେ ପ୍ରଥମେ ଗୁଳି ଚାଳନା କରିଥିଲେ । ଏହା ପରେ ଜବାନ ମାନେ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ ।

ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଗୁଳି ବିନିମୟ ହେବା ପରେ ନକ୍ସଲ ମାନେ ଛତ୍ରଭଙ୍ଗ ଦେଇଥିଲେ । ଘଟଣା ପରେ ଜବାନଙ୍କ ପକ୍ଷରୁ ସେଠାରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଏହି ସର୍ଚ୍ଚ ଅପରେସନ ସମୟରେ ମାଓ ଶିବିରରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିଲା । ଯାହା ମଧ୍ୟରେ ଅନେକ ଅଫୁଟା ଗୁଳି, ଲ୍ୟାଣ୍ଡମାଇନ, ଡିଟୋନିଟର, ୱାକି ଟକି, ନକ୍ସଲ କିଟ୍ ବ୍ୟାଗ, ପୋଷାକ ଓ ଔଷଧ ସହ ମାଓ ପୋଷ୍ଟର ରହିଛି । ଟପ୍ ମାଓ ନେତା ସୁରେସ ଓରଫ ସୁରାନା ଏହି ମାଓ ଶିବିରରୁ ଖସି ପଳାଇଥିବା ମାଲକାନଗିରି ଏସପି ସୂଚନା ଦେଇଛନ୍ତି ।