ଆଇପିଏଲ : ରାଜସ୍ଥାନ ରୟାଲ୍ସକୁ ୩୩ ରନରେ ପରାଜିତ କଲା ଦିଲ୍ଲୀ କ୍ୟାପିଟାଲ୍ସ

ଦୁବାଇ ୨୫/୦୯ : (ସଂକେତ୍ ଟିଭି) ଇଣ୍ଡିଆନ ପ୍ରିମିୟର ଲିଗ୍‌ ର ଆଜିର ପ୍ରଥମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ରାଜସ୍ଥାନ ରୟାଲ୍ସକୁ ପରାଜିତ କରିଛି । ଏହି ବିଜୟ ସହିତ ଦିଲ୍ଲୀ କ୍ୟାପିଟାଲ୍ସ ପଏଣ୍ଟ ଟେବୁଲର ଶୀର୍ଷରେ ପହଂଚିଛି ।

ପ୍ରଥମେ ବ୍ୟାଟିଂକରି ଦିଲ୍ଲୀ ୬ ଓ୍ବିକେଟ ହରାଇ ୧୫୪ ରନ ସଂଗ୍ରହ କରିଥିଲା । ପୃଥ୍ବୀ ସ ୧୦ ରନ କରି ଆଉଟ ହୋଇଥିବା ବେଳେ ଶିଖର ଧାଓ୍ବନ ୮ ରନ କରି ଆଉଟ ହୋଇଥିଲେ । ସେହିଭଳି ଶ୍ରେୟସ ଆୟର ଚମତ୍କାର ଇନିଂସ ଖେଳି ୩୨ ବଲରେ ଗୋଟିଏ ଚୌକା ଏବଂ ୨ଟି ଛକା ସହାୟତାରେ ୪୩ ରନ କରି ଆଉଟ ହୋଇଥିବା ବେଳେ, ଋଷଭ ପନ୍ତ ୨୪ ରନ, ସିମ୍ରନ୍‌ ହେଟମାୟର ୨୮ ରନ, ଅକ୍ଷର ପଟେଲ ୧୨ ରନ କରି ଆଉଟ ହୋଇଛନ୍ତି । ଲଳିତ ଯାଦବ ୧୪ ଏବଂ ରବିଚନ୍ଦ୍ରନ ଅଶ୍ବିନ ୬ ରନ କରି ଅପରାଜିତ ଥିଲେ ।

ଜବାବରେ ନିର୍ଦ୍ଧାରିତ ଓଭରରେ ରାଜସ୍ଥାନ ରୟାଲ୍ସ ୬ ଓ୍ବିକେଟ ହରାଇ ମାତ୍ର ୧୨୧ ରନ କରିପାରିଥିଲା । ଦଳ ପକ୍ଷରୁ ଲିୟାମ ଲିଭିଙ୍ଗଷ୍ଟନ୍‌ ୧ରନ, ଜସସ୍ବୀ ଜୟସଓ୍ବାଲ ୫ ରଦ ଓପନିଂ ବ୍ୟାଟ୍ସମ୍ୟାନ ଭାବେ ଫେଲ ମାରିଥିଲେ । ପରେ ଡେଭିଡ୍‌ ମିଲର ୭ରନ, ମହିପାଲ ଲୋମରୋର୍‌ ୧୯, ରିୟାନ ପରାଗ୍‌ ୨, ରାହୁଲ ତେଓ୍ବାତିୟା ୯ ରନ କରି ଆଉଟ ହୋଇଥିଲେ । ସାମସନ୍‌ ୭୦ ଏବଂ ତବରିଜ୍‌ ସାମସୀ ୨ ରନ କରି ଅପରାଜିତ ରହିଛନ୍ତି ।

ଦିଲ୍ଲୀର ବୋଲର ଅବେସ୍‌ ଖାନ ୪ ଓଭରରେ ୨୯ ରନ ଦେଇ ୧ ଓ୍ବିକେଟ ନେଇଥିବା ବେଳେ, ଏନରିଚ୍‌ ନୋର୍ଟ୍‌ଜେ ୪ଓଭରରେ ୧୮ ରନ ୨ ଓ୍ବିକେଟ୍‌, ରବିଚନ୍ଦ୍ରନ ଅଶ୍ବିନ ୪ ଓଭରରେ ୨୦ ରନ ୧ ଓ୍ବିକେଟ୍‌, କାଗିସୋ ରାବାଡା ୪ ଓଭରରେ ୨୬ ରନ ୧ ଓ୍ବିକେଟ ଏବଂ ଅକ୍ଷର ପଟେଲ ୪ ଓଭରରେ ୨୭ ରନ ଦେଇ ଗୋଟିଏ ଓ୍ବିକେଟ ନେଇଛନ୍ତି ।