ବରଗଡ ଟାଉନ୍‌ ଥାନାରେ ହାଜତ ମୃତ୍ୟୁ ଘଟଣା : ୪ ପୋଲିସ୍‌ ଅଧିକାରୀ ନିଲମ୍ବିତ

ବରଗଡ଼, ୨୬/୦୯: (ସଂକେତ ଟିଭି) ପୋଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ ଘଟଣାରେ ବରଗଡ ପୋଲିସର ଚାରିଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି ।

ନିଲମ୍ବିତ ହୋଇଥିବା ଚାରିଜଣ ପୋଲିସ କର୍ମଚାରୀ ହେଲେ ସବ୍-ଇନିସ୍ପେକ୍ଟର ମଙ୍ଗଲ କିସ୍କୋ, ଏଏସଆଇ ପିତାମ୍ବର ବେହେରା, ଏଏସଆଇ କ୍ଷୀରୋଦ୍ର ବିଶ୍ୱାଳ ଓ ହୋମଗାର୍ଡ ଗୋପବନ୍ଧୁ ଜଗଦଲା ।

ଏକ ଗଣ୍ଡଗୋଳ ଘଟଣାରେ ଶୁକ୍ରବାର ରାତିରେ ବରଗଡ ପୋଲିସ୍‌ ତୋରା ଗାଁର ଗୋବିନ୍ଦ କୁମ୍ଭାର(୨୭)କୁ ଥାନାକୁ ଉଠାଇ ଆଣିଥିଲା। ଶନିବାର ସକାଳୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ତାଙ୍କୁ ନିଆଯାଇଥିଲା। ଡାକ୍ତର ତାଙ୍କୁ ମୃତ ‌ଘୋଷଣା କରିଥିଲେ। ତେବେ ଗୋବିନ୍ଦକୁ ଥାନାରେ ନିସ୍ତୁକ ମାଡ଼ ମରାଯାଇଥିଲା ଓ ମାଡ଼ ଯୋଗୁଁ ତାଙ୍କ ମୃତ୍ୟୁ ଘଟିଥିବା ପରିବାର ଏବଂ ଗ୍ରାମବାସୀ ଅଭିଯୋଗ କରିଥିଲେ।

ଗୋବିନ୍ଦଙ୍କ ମୃତ୍ୟୁ ଖବର ପାଇବା ପରେ ଶନିବାର ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ପରିବାରଲୋକେ ଏବଂ ଶହଶହ ଗ୍ରାମବାସୀ ଏକତ୍ରିତ ହୋଇଥିଲେ। ଡାକ୍ତରଖାନା ଭିତରେ ବ୍ୟାପକ ଭଂଗାରୁଜା କରିଥିଲେ। ଗ୍ରାମବାସୀ ଶବ ନେଇ ସହରର ପ୍ରଥମେ ଗାନ୍ଧୀ ଛକ ଓ ପରେ ଏସପି ଅଫିସ ସାମନାକୁ ଆସି ରାସ୍ତା ଉପରେ ଶବ ରଖି ରାସ୍ତାରୋକ କରିଥିଲେ। ପୋଲିସ ଆନ୍ଦୋଳନକାରୀଙ୍କୁ ଘଉଡାଇବାକୁ ଯାଇ ଲାଠିଚାଳନା କରିଥଲା । ଲାଠିମାଡରେ ବିକ୍ଷୋଭ କରୁଥିବା ୨ ଜଣ ମହିଳା ଆହତ ହୋଇଥିଲେ । ଅପରପକ୍ଷରେ ଲୋକଙ୍କ ପଥରମାଡ ଓ ଠେଲାପେଲାରେ ୨ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ ।

ବରଗଡ଼ରେ ଘଟିଥିବା ଉତ୍ତେଜନା ଓ ଲାଠିଚାର୍ଜ ଘଟଣାର ସ୍ଥିତି ସମୀକ୍ଷା କରିବାକୁ ପଶ୍ଚିମାଞ୍ଚଳ ଡ଼ିଆଇଜି ଜୟନାରାୟଣ ପଙ୍କଜ ବରଗଡ଼ ପହଞ୍ଚି ଥିଲେ । ସେଠାରେ ସ୍ଥିତିକୁ ଅନୁଧ୍ୟାନ କରିଥିଲେ । ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଥିବାରୁ ଏକ ଶାନ୍ତି କମିଟି ଗଠନ କରାଯାଇ ମୃତକଙ୍କ ପରିବାର ଲୋକଙ୍କୁ ବୁଝା ସୁଝା କରାଯାଇଥିଲା । ଏହି କମିଟିରେ ବରଗଡ଼ ଏସ୍ପି ରାହୁଲ ଜୈନ, ବିଧାୟକ ଦେବେଶ ଆଚାର୍ଯ୍ୟ, ଅତିରିକ୍ତ ଜିଲ୍ଲାପାଳ ମିର୍ଧା ଟପ୍ପୋ ଉପସ୍ଥିତ ଥିଲେ ।

ତେବେ ଘଟଣାର ତଦନ୍ତ ପାଇଁ ହ୍ୟୁମାନ ରାଇଟ ପ୍ରୋଟେକ୍ସନ ସେଲ ଓ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ଦ୍ଵାରା ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ଡ଼ିଆଇଜି ଜୟନାରାୟଣ ପଙ୍କଜ । ଅନ୍ୟପକ୍ଷରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିବା ବେଳେ ସରକାରୀ ସ୍ତରରେ ମୃତକଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କରିବା ସହ ତାଙ୍କ ପରିବାରର ଜଣେ ସଦସ୍ୟକୁ ଚାକିରୀ ଦେବାକୁ ଦାବି କରିଛନ୍ତି । ମୃତବ୍ୟକ୍ତିଙ୍କ ଶବକୁ ଶବ ଵ୍ୟଵଛେଦ ଗୃହକୁ ପଠାଇ ସବ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି ।

ତେବେ ସ୍ଥିତିକୁ ନିୟନ୍ତ୍ରଣ ପାଇଁ ସହରରେ ୫ ପ୍ଲାଟୁନ ପୋଲିସ ଫୋର୍ସମୁତୟନ କରାଯାଇଛି । ପୋଲିସ ମାଡ଼ରେ ଗୋବିନ୍ଦଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ଘଟଣାରେ ଡ୍ରାଇଭର ସମେତ ଚାରିଜଣ ପୋଲିସ କର୍ମଚାରୀଙ୍କୁ ବରଗଡ଼ ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ।