ପାକିସ୍ଥାନରେ ମହମ୍ମଦ ଅଲୀ ଜିନ୍ନାଙ୍କ ଏକ ପ୍ରତିମୂର୍ତ୍ତିକୁ ବୋମା ମାଡ ଉଡାଇଲେ ବେଲୁଚି ବିଦ୍ରୋହୀ

ଇସଲାମାବାଦ ୨୭/୦୯ : (ସଂକେତ ଟିଭି) ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲୀ ଜିନ୍ନାଙ୍କ ଏକ ପ୍ରତିମୂର୍ତ୍ତିକୁ ବାଲୁଚିସ୍ତାନ ପ୍ରଦେଶର ଗ୍ୱାଦରଠାରେ ବୋମା ମାଡ କରି ଆତଙ୍କବାଦୀମାନେ ଉଡାଇ ଦେଇଛନ୍ତି। ମୂର୍ତ୍ତିଟି ଭାଙ୍ଗି ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି । ଏହି ଘଟଣାକୁ ନେଇ ପାକିସ୍ତାନର ବଲୁଚ ଲିବରେସନ୍‌ ଫ୍ରଣ୍ଟ ନିଜକୁ ଦାୟୀ କରିଛି ।

ମହମ୍ମଦ ଅଲୀ ଜିନ୍ନାଙ୍କ ପ୍ରତିମୂର୍ତ୍ତିକୁ ଚଳିତ ବର୍ଷ ଆରମ୍ଭରେ ହିଁ ଗ୍ବାଦର ସହରର ମେରାଇନ୍‌ ଡ୍ରାଇଭରେ ଲଗାଯାଇଥିଲା । ହେଲେ ରବିବାର ସକାଳେ ଏହି ମୂର୍ତ୍ତି ତଳେ ବୋମା ରଖି ଏହାକୁ ଉଡାଇ ଦିଆଯାଇଛି । ବିସ୍ଫୋରଣରେ ପ୍ରତିମୂର୍ତ୍ତି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଖବର ମିଳିଛି ।

ଗ୍ବାଦର ସହର ପାକିସ୍ତାନ ସହିତ ଚୀନ ପାଇଁ ମଧ୍ୟ ବେଶ ଗୁରୁତ୍ବପୂର୍ଣ୍ଣ ତଥା ସୁରକ୍ଷିତ ସହର କୁହାଯାଇଥାଏ । ଏଠାରେ ଚୀନ ଅର୍ଥନୈତିକ କରିଡର ଅଧୀନରେ କୋଟି କୋଟି ଟଙ୍କା ବିନିଯୋଗ କରୁଛି। ପ୍ରତିବନ୍ଧିତ ବେଲୁଚ ଲିବରେସନ ଫ୍ରଣ୍ଟ ଏହି ବୋମା ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି। ଯେଉଁମାନେ ଜିନ୍ନାଙ୍କ ପ୍ରତିମୂର୍ତ୍ତିକୁ ନଷ୍ଟ କରିଛନ୍ତି ସେମାନଙ୍କୁ ପାକିସ୍ତାନୀ ସୁରକ୍ଷା ବାହିନୀ ଖୋଜୁଛି। ଏହାପୂର୍ବରୁ ବେଲୁଚ ବିଦ୍ରୋହୀମାନେ ପାକିସ୍ତାନୀ ସେନାର ଏକ ଗାଡିକୁ ବିସ୍ଫୋରଣ କରି ଉଡାଇ ଦେଇଥିଲେ। ୪ ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଥିଲେ ।

ଗ୍ବାଦରର ଉଚ୍ଚାୟୁକ୍ତ ଅବଦୁଲ କବୀର ଖାନ ମାମଲାର ତଦନ୍ତ କରି ତୁରନ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ସେ କହିଛନ୍ତି ଯେ, ଆତଙ୍କବାଦୀମାନେ ସେଠାକୁ ପର୍ଯ୍ୟଟକ ରୂପେ ଆସିଥିଲେ । ବିସ୍ଫୋରଣ ଘଟିଥିବା ସ୍ଥାନକୁ ପର୍ଯ୍ୟଟକ ଭାବେ ଆସି ବିସ୍ଫୋରଣ ଘଟାଇଛନ୍ତି । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା କାହାରିକୁ ଗିରଫ କରାଯାଇନଥିବା ଜଣାପଡିଛି । ଦିନେ ୨ ଦିନ ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି ।

ମହମ୍ମଦ ଅଲ୍ଲୀ ଜିନ୍ନା ୧୯୧୩ ଠାରୁ ଆରମ୍ଭ କରି ୧୯୪୭ ମସିହା ଅଗଷ୍ଟ ୧୪ ତାରିଖ ଯାଏଁ ପାକିସ୍ତାନ ସ୍ଥାପନ ହେବା ପର୍ଯ୍ୟନ୍ତ ଅଲ ଇଣ୍ଡିଆ ମୁସଲିମ ଲିଗ୍‌ର ନେତା ଥିଲେ । ଏହା ପରେ ୧୯୪୮ରେ ତାଙ୍କର ଦେହାନ୍ତ ହେବା ପର୍ଯ୍ୟନ୍ତ ସେ ପାକିସ୍ତାନର ପ୍ରଥମ ଗଭର୍ଣ୍ଣର ଜେନେରାଲ ଭାବେ କାର୍ଯ୍ୟ କରିଥିଲେ ।