ଆଇପିଏଲ : ରାଜସ୍ଥାନକୁ ହରାଇ ବିଜୟର ସ୍ଵାଦ ଚାଖିଲା ହାଇଦ୍ରାବାଦ

ଦୁବାଇ ୨୭।୦୯: (ସଂକେତ ଟିଭି) ଆଇପିଏଲ ୨୦୨୧ର ୪୦ ତମ ମ୍ୟାଚ୍‌ରେ ହାଇଦ୍ରାବାଦ ରାଜସ୍ଥାନ ରୟାଲ୍ସକୁ ୭ ଓ୍ଵିକେଟ୍‌ରେ ପରାସ୍ତ କରିଛି। ଏଥିସହ ହାଇଦ୍ରାବାଦ ଦଶମ ମ୍ୟାଚ୍‌ରୁ ଦ୍ଵିତୀୟ ବିଜୟ ହାସଲ କରିଛି । ରାଜସ୍ଥାନ ୧୦ ମ୍ୟାଚ୍‌ରୁ ଷଷ୍ଠ ପରାଜୟ ଭୋଗି ପଏଣ୍ଟ ତାଲିକାର ଷଷ୍ଠ ସ୍ଥାନରେ ରହିଛି।

ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ସଞ୍ଜୁ ସାମସନଙ୍କ ଦମଦାର ୮୨ ରନ ଜରିଆରେ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍‌ ହରାଇ ୧୬୪ ରନ କରିଥିଲା। ଦଳ ପକ୍ଷରୁ ସଞ୍ଜୁ ସାମସନ ବିସ୍ଫୋରକ ବ୍ୟାଟିଂ କରି ୫୭ ବଲରୁ ୭ ଚୌକା ଏବଂ ୩ ଛକା ସହାୟତାରେ ୮୨ ରନ ସଂଗ୍ରହ କରିଥିଲେ । ହାଇଦ୍ରାବାଦ ପକ୍ଷରୁ ସିଦ୍ଧାର୍ଥ କୌଲ ୨ଟି, ସିନ୍ଦୀପ ଶର୍ମା, ଭୁବନେଶ୍ବର କୁମାର ଏବଂ ରାସିଦ ଖାନ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

୧୬୫ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ହାଇଦ୍ରାବାଦ ଅଧିନାୟକ କେନ ଓ୍ଵିଲିୟମସନଙ୍କ ଅପରାଜିତ ୫୧ ଏବଂ ଜାସନ ରୟଙ୍କ ୬୦ ରନ ବଳରେ ସନରାଇଜର୍ସ ହାଇଦ୍ରାବାଦ ୧୮.୩ ଓଭରରେ ୩ ଓ୍ଵିକେଟ୍ ହରାଇ ୧୬୭ ରନ କରି ବିଜୟୀ ହୋଇଛି। ଋଧିମାନ ଶାହା ୧୮ ରନ ଓ ପ୍ରିୟମ ଗର୍ଗ(୦) ରନ କରିଥିବାବେଳେ ଅଭିଷେକ ଶର୍ମା ମଧ୍ୟ ୨୧ ରନ କରି ଅପରାଜିତ ଥିଲେ। ଦଳ ୧୮.୩ ଓଭରରେ ୩ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା।