ଆସୁଛି ଭିକ୍କି କୌଶଲଙ୍କ ନୂଆ ଫିଲ୍ମ ସର୍ଦାର ଉଧମ ସିଂହ, ଭିନ୍ନ ଲୁକ୍ ରେ ନଜର ଆସିବେ ଭିକ୍କି

ମୁମ୍ବାଇ ୨୭।୯: କଠିନ ପରିଶ୍ରମ ଭିକ୍କି କୌଶଲଙ୍କ ଆଗାମୀ ଫିଲ୍ମ “ସର୍ଦାର ଉଧମ ସିଂହ’ ଅକ୍ଟୋବରରେ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବ । ଏହି ଫିଲ୍ମରେ ସେ ସ୍ୱାଧୀନତା ସଂଗ୍ରାମୀ ଉଧମ ସିଂହଙ୍କ ଚରିତ୍ରରେ ନଜର ଆସିବେ, ଯିଏ ଲଣ୍ଡନ ଯାଇ ଜାଲିଆନ ଓ୍ୱାଲାବାଗ ହତ୍ୟାକାଣ୍ଡର ମୁଖ୍ୟ ଦୋଷୀ ଜେନେରାଲ ଡାଏରଙ୍କୁ ହତ୍ୟା କରିଥିଲେ ।

ଜାଲିଆନଓ୍ୱାଲା ବାଗ ନରସଂହାର ବେଳେ ଉଧମ ସିଂହଙ୍କୁ ମାତ୍ର ୨୧ ବର୍ଷ ହୋଇଥିଲା । ଏଥିସହ ଜେନେରାଲ ଡାଏରଙ୍କୁ ହତ୍ୟା କରିବା ପାଇଁ ଲଣ୍ଡନ ଗସ୍ତ ସମୟରେ ଉଧମ ସିଂହଙ୍କୁ ୩୫ ବର୍ଷ ବୟସ ହୋଇଥିଲା । ଏହାର ୬ ବର୍ଷ ପରେ ୧୯୪୦ ମସିହାରେ ୪୧ ବର୍ଷୀୟ ଉଧମ ସିଂହ ଡାଏରଙ୍କୁ ହତ୍ୟା କରିଥିଲେ ।

ତେଣୁ ଏହାକୁ ଦେଖି ଭିକ୍କି ଫିଲ୍ମରେ ଦୁଇଟି ଲୁକ୍ ରେ ନଜର ଆସିବେ । ଗୋଟିଏ ଲୁକ୍ରେ ଭିକ୍କି ୨୧ ବର୍ଷୀୟ ଯୁବକ ଏବଂ ଅନ୍ୟ ଲୁକ୍ ରେ ୪୧ ବର୍ଷୀୟ ଉଧମଙ୍କ ଚରିତ୍ରରେ ନଜର ଆସିବେ । ତେଣୁ ପରଦାରେ ଅବିକଳ ଚରିତ୍ରକୁ ଦର୍ଶାଇବା ପାଇଁ ଭିକ୍କି କୌଶଲ ବହୁତ ପରିଶ୍ରମ କରିଛନ୍ତି । ୨୧ ବର୍ଷୀୟ ଯୁବ ଉଧମଙ୍କ ଗେଟଅପ୍ ପାଇଁ ସେ ପ୍ରାୟ ୧୫ କିଲୋଗ୍ରାମ ଓଜନ ହ୍ରାସ କରିଥିଲେ । ସେ ସଠିକ୍ ଖାଦ୍ୟପେୟରେ ମଧ୍ୟ ବେଶ୍ ଧ୍ୟାନ ରଖୁଥିଲେ । ଖାଇବାରେ ସେ କେବଳ ବିସ୍କିଟ ନେଉଥିଲେ । ପୁଣି ୪୧ ବର୍ଷୀୟ ଉଧମ ଚରିତ୍ର ପାଇଁ ଭିକ୍କି ଓଜନ ବୃଦ୍ଧି କରିଥିଲେ ।

ଫିଲ୍ମରେ ଭିକ୍କି ବ୍ୟତୀତ ବାନିତା ସନ୍ଧୁ ଏବଂ ଅମୋଲ ପାରାଶର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି । ତେବେ ଏପର୍ଯ୍ୟନ୍ତ ଫିଲ୍ମର ରିଲିଜ୍ ଡେଟ୍ ଘୋଷଣା ହୋଇନାହିଁ ।