Latest

ଆନ୍ଦୋଳନରତ କୃଷକଙ୍କ ଉପରେ କାର୍ ଚଢାଉ ଦେଲେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ, ୫ ମୃତ

ଲକ୍ଷ୍ମୌ ୦୩/୧୦ : (ସଂକେତ ଟିଭି) ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରୀରେ ଆନ୍ଦୋଳନରତ କୃଷକଙ୍କ ଉପରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଗାଡ଼ି ଚଢ଼ାଇଦେଇଛନ୍ତି । ଫଳରେ ପାଞ୍ଚ ଜଣ କୃଷକଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁସାରେ , କେନ୍ଦ୍ର ସାରକାରଙ୍କର ନୂତନ କୃଷିନୀତିକୁ ବିରୋଧ କରି ଲକ୍ଷ୍ମୀପୁର ଖେରୀର ଟିକୁନିଆରେ କୃଷକମାନେ ଆନ୍ଦୋଳନ କରୁଥିଲେ । ଏହି ସମୟରେ ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦଙ୍କ ସହ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ । ସେହି କାରକେଟ୍ ରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁତ୍ର ଆଶିଷ ମିଶ୍ର ତାଙ୍କ ଗାଡ଼ିରେ ଯାଉଥିଲେ । ଏହି ସମୟରେ ସେଠାରେ ଆନ୍ଦୋଳନରତ କୃଷକମାନେ ତାଙ୍କ ଗାଡ଼ି ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କଳାପତାକା ପ୍ରଦର୍ଶନ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ବିରୋଧ ପ୍ରଦର୍ଶନ କରୁଥିବା ଚାଷୀଙ୍କ ଉପରେ ତାଙ୍କ କାର ଚଢ଼ାଇ ଦେଇଥିଲେ। ଯାହା ଫଳରେ ଏହି ଦୁର୍ଘଟଣା ଘଟିଥିଲା।

ଲକ୍ଷ୍ମୀପୁର ଖେରୀ ଡିଏମ ଅରବିନ୍ଦ ଚୌରାସିଆଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ପାଞ୍ଚ ଜଣ କୃଷକଙ୍କ ମୃତ୍ୟୁ ଘଟିଛି। ପରିସ୍ଥିତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ରହିଛି। ୟୁନାଇଟେଡ୍ କିସାନ୍ ମୋର୍ଚା ଏବଂ ଭାରତୀୟ କିସାନ୍ ୟୁନିଅନ୍ ଲାଖୀପୁରରେ ପହଞ୍ଚିବାକୁ ଆହ୍ବାନ ଦେଇଛନ୍ତି। ହଜାର ହଜାର କୃଷକ ଏଠାରେ ପହଞ୍ଚି ସାରିଛନ୍ତି। କ୍ରୋଧିତ କୃଷକମାନେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରଙ୍କ ଗାଡ଼ି ସମେତ ତିନିଟି ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ଆସନ୍ତାକାଲି କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଲକ୍ଷ୍ମୀପୁର ଖେରୀ ଯାଇପାରନ୍ତି ବୋଲି ସୂଚନା ମିଳିଛି।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପ ପୁଲିସ୍‌ ମହାନିର୍ଦ୍ଦେଶକ ପ୍ରଶାନ୍ତ କୁମାରଙ୍କୁ ଲକ୍ଷ୍ମୀପୁର ଖେରୀରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିକେୟୁ ନେତା ରାକେଶ ଟିକାୟତ ମଧ୍ୟ ଗାଜିପୁରରୁ ଆସି ଘଟଣାସ୍ଥଳରେ ପହଞ୍ଚିଛନ୍ତି।

କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ କହିଛନ୍ତି, “ଏହିଭଳି ଅମାନବୀୟ ହତ୍ୟାକାଣ୍ଡ ଦେଖିବା ପରେ ଯିଏ ଚୁପ୍ ଅଛି, ସେ ମରିଯାଇଛି। କିନ୍ତୁ ଆମେ ଏହି ବଳିଦାନକୁ ବ୍ୟର୍ଥ ହେବାକୁ ଦେବୁ ନାହିଁ – କିଷାନ ସତ୍ୟାଗ୍ରହ ଜିନ୍ଦବାଦ! ”

ପ୍ରିୟଙ୍କା ଗାନ୍ଧୀ ଟ୍ୱିଟ୍ କରି କହିଛନ୍ତି ଯେ ଦେଶର କୃଷକଙ୍କୁ ବିଜେପି କେତେ ପରିମାଣରେ ଘୃଣା କରୁଛି ? ସେମାନଙ୍କର ବଞ୍ଚିବାର ଅଧିକାର ନାହିଁ କି? ଯଦି ସେମାନେ ସ୍ୱର ଉତ୍ତୋଳନ କରନ୍ତି, ତେବେ ତୁମେ ସେମାନଙ୍କୁ ଗୁଳି କରି କାର ଚଢାଇ ଦେବ କି? ବହୁତ ହୋଇଗଲା । କିଷାନ ସତ୍ୟାଗ୍ରହ ମଜବୁତ ହେବ ଏବଂ ଚାଷୀଙ୍କ ସ୍ୱର ଅଧିକ ମଜବୁତ ହେବ ବୋଲି ସେ କହିଛନ୍ତି।