ଆଇପିଏଲ : ହାଇଦ୍ରାବାଦକୁ ୬ ଓ୍ଵିକେଟ୍‌ରେ ହରାଇଲା କେକେଆର

ଦୁବାଇ ୦୩।୧୦: (ସଂକେତ ଟିଭି) ରବିବାର ଖେଳାଯାଇଥିବା ଆଇପିଏଲର ଦ୍ବିତୀୟ ମୁକାବିଲାରେ କୋଲକାତା ନାଇଟ୍ ରାଇଡର୍ସ ହାଇଦ୍ରାବାଦକୁ ୬ ଓ୍ଵିକେଟ୍‌ରେ ପରାଜିତ କରିଛି । ଏହି ଗୁରୁତ୍ଵପୂର୍ଣ୍ଣ ବିଜୟ ସହ କୋଲକାତାର ପ୍ଲେ ଅଫ ଆଶା ଉଜ୍ଜିବୀତ ରହିଛି।

ପ୍ରଥମେ ବ୍ୟାଟିଂ କରିଥିବା ସନରାଇଜର୍ସ ହାଇଦ୍ରାବାଦ ନିଜର ବ୍ୟାଟିଂ ବିଫଳତା ବଜାୟ ରଖି ୮ ଓ୍ଵିକେଟ୍ ବିନିମୟରେ ୧୧୫ ରନ କରିଥିଲା। ଦଳ ପକ୍ଷରୁ ଅଧିନାୟକ କେନ୍ ଓ୍ଵିଲିୟମସନ ସର୍ବାଧିକ ୨୬ ରନ ଏବଂ ଅବଦୁଲ ସାମଦ ୨୫ ରନ କରିଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦର ଓପନର ଜେସନ ରୟ ଏବଂ ରିଦ୍ଧମାନ ଶାହା ନିରାଶ କରିଥିଲେ । ରୟ ୧୦ ରନ କରି ଆଉଟ ହୋଇଥିବା ବେଳେ ଶାହା ଖାତା ଖୋଲିପାରିନାହାନ୍ତି । ଅନ୍ୟମାନଙ୍କ ମଧ୍ୟରେ କେନ୍‌ ଓ୍ବିଲିୟମସନ୍‌ ୨୬ ରନ କରି ଆଉଟ ହୋଇଥିବା ବେଳେ, ପ୍ରିୟମ ଗର୍ଗ ୨୧, ଅଭିଷେକ ଶର୍ମା ୬, ଅବଦୁଲ ସମାଦ ୨୫, କେସନ୍‌ ହୋଲଡର ୨, ରାସିଦ ଖାନ ୮ ରନ କରି ଆଉଟ ହୋଇଛନ୍ତି । ଭୁବନେଶ୍ବର କୁମାର ୭ ଏବଂ ସିଦ୍ଧାର୍ଥ କୌଲ ୭ ରନ କରି ଅପରାଜିତ ଥିଲେ। କୋଲକାତା ପକ୍ଷରୁ ଟିମ୍ ସାଉଦି, ଶିବମ ମାଭି ଓ ବରୁଣ ଚକ୍ରବର୍ତ୍ତୀ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ହାସଲ କରିଥିଲେ।

ଜବାବରେ ଶୁବମାନ ଗିଲ୍‌ଙ୍କ ୫୭ ରନ ବଳରେ କୋଲକାତା ୧୯.୪ ଓଭରରେ ୪ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଭେଙ୍କଟେଶ ଆୟର(୮) ଓ ରାହୁଲ ତ୍ରିପାଠୀ(୭) ସଅଳ ଆଉଟ୍ ହୋଇଥିଲେ। ଏହା ପରେ ଶୁବମାନ ଗିଲ୍ ଓ ନୀତିଶ ରାଣା ଧୈର୍ଯ୍ୟର ସହ ବ୍ୟାଟିଂ କରି ତୃତୀୟ ଓ୍ଵିକେଟ୍‌ରେ ୫୫ ରନ ଯୋଡି ଦଳ ବିଜୟରେ ମୂଳଦୁଆ ପକାଇଥିଲେ। ଶୁବମାନ ଗିଲ୍ ଦମଦାର ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୫୧ ବଲ୍‌ରୁ ୧୦ ଚୌକା ସହ ୫୭ ରନର ଉଲ୍ଲେଖୀୟ ଇନିଂସ ଖେଳି ଆଉଟ୍ ହୋଇଥିଲେ। ଏହା ପରେ ରାଣା ୧୮ ରନ କରି ପାଭିଲିୟନ ଫେରିଥିଲେ। ଛୋଟ ସ୍କୋର କରିଥିଲେ ମଧ୍ୟ ସନରାଇଜର୍ସ ବୋଲର ମ୍ୟାଚ୍‌କୁ ରୋମାଞ୍ଚ କରିବା ସହ ଖେଳକୁ ଶେଷ ଓଭର ପର୍ଯ୍ୟନ୍ତ ଟାଣି ଆଣିଥିଲେ। ଶେଷ ଆଡକୁ ଦିନେଶ କାର୍ତ୍ତିକ ଅପରାଜିତ ୧୮ ରନ କରି ଦଳକୁ ୧୯.୪ ଓଭରରେ ବିଜୟୀ କରାଇଥିଲେ। ଅଧିନାୟକ ଇଅନ ମୋର୍ଗାନ ୨ରନରେ ଅପରାଜିତ ଥିଲେ। ଏହି ମ୍ୟାଚ୍‌ ଜିତିବା କେକେଆର ପାଇଁ ଅତି ଜରୁରୀ ଥିଲା। ଯଦି ଦଳ ଏହି ମୁକାବିଲା ହାରିଥାନ୍ତା ତେବେ ପ୍ଲେ ଅଫରେ ପହଞ୍ଚିବାରେ ମୁସ୍କିଲ ହୋଇଥାନ୍ତା।