ବରଗଡ ହାଜତ ମୃତ୍ୟୁ ଅଭିଯୋଗ ମାମଲାର ସିବିଆଇ ତଦନ୍ତ ଦାବିରେ ଜନସ୍ବାର୍ଥ ମାମଲା ଦାୟର

କଟକ ୪।୧୦: (ସଂକେତ ଟିଭି) ବରଗଡ ହାଜତ ମୃତ୍ୟୁ ଅଭିଯୋଗ ମାମଲାର ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଘଟଣାର ସିବିଆଇ ତଦନ୍ତ ସହ ୫୦ ଲକ୍ଷ କ୍ଷତିପୂରଣ ପାଇଁ ଜନସ୍ବାର୍ଥ ମାମଲା ଦାୟର ହୋଇଛି ।

ଉଲ୍ଲେଖଯୋଗ୍ୟ ଯେ, ଏକ ଗଣ୍ଡଗୋଳ ଘଟଣାରେ ଗତ ୨୪ ରାତିରେ ବରଗଡ ପୋଲିସ୍‌ ତୋରା ଗାଁର ଗୋବିନ୍ଦ କୁମ୍ଭାର(୨୭)କୁ ଥାନାକୁ ଉଠାଇ ଆଣିଥିଲା। ଶନିବାର ସକାଳୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ତାଙ୍କୁ ନିଆଯାଇଥିଲା। ଡାକ୍ତର ତାଙ୍କୁ ମୃତ ‌ଘୋଷଣା କରିଥିଲେ। ତେବେ ଗୋବିନ୍ଦକୁ ଥାନାରେ ନିସ୍ତୁକ ମାଡ଼ ମରାଯାଇଥିଲା ଓ ମାଡ଼ ଯୋଗୁଁ ତାଙ୍କ ମୃତ୍ୟୁ ଘଟିଥିବା ପରିବାର ଏବଂ ଗ୍ରାମବାସୀ ଅଭିଯୋଗ କରିଥିଲେ।

ଗୋବିନ୍ଦଙ୍କ ମୃତ୍ୟୁ ଖବର ପାଇବା ପରେ ଶନିବାର ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ପରିବାରଲୋକେ ଏବଂ ଶହଶହ ଗ୍ରାମବାସୀ ଏକତ୍ରିତ ହୋଇଥିଲେ। ଡାକ୍ତରଖାନା ଭିତରେ ବ୍ୟାପକ ଭଂଗାରୁଜା କରିଥିଲେ। ଗ୍ରାମବାସୀ ଶବ ନେଇ ସହରର ପ୍ରଥମେ ଗାନ୍ଧୀ ଛକ ଓ ପରେ ଏସପି ଅଫିସ ସାମନାକୁ ଆସି ରାସ୍ତା ଉପରେ ଶବ ରଖି ରାସ୍ତାରୋକ କରିଥିଲେ। ପୋଲିସ ଆନ୍ଦୋଳନକାରୀଙ୍କୁ ଘଉଡାଇବାକୁ ଯାଇ ଲାଠିଚାଳନା କରିଥଲା । ଲାଠିମାଡରେ ବିକ୍ଷୋଭ କରୁଥିବା ୨ ଜଣ ମହିଳା ଆହତ ହୋଇଥିଲେ । ଅପରପକ୍ଷରେ ଲୋକଙ୍କ ପଥରମାଡ ଓ ଠେଲାପେଲାରେ ୨ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ଏହି ଘଟଣାରେ ବରଗଡ ପୋଲିସର ଚାରିଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିଲା ।