ଗ୍ୟାଙ୍ଗଷ୍ଟର ହାଇଦର ପୁଅ ମୁନ୍ନାକୁ ଆଜୀବନ ଜେଲ ଦଣ୍ଡାଦେଶ

ଭୂବନେଶ୍ବର ୪।୧୦: (ସଂକେତ ଟିଭି) ଗ୍ୟାଙ୍ଗଷ୍ଟର ହାଇଦର ପୁଅ ସେକ କାଦିର ଓରଫ ମୁନ୍ନାକୁ ଆଜୀବନ ଜେଲ ଦଣ୍ଡାଦେଶ ହୋଇଛି । ୨୦୧୩ ମସିହାରେ ହୋଇଥିବା ଆଳି ବ୍ୟବସାୟୀ ହତ୍ୟା ମାମଲାରେ କେନ୍ଦ୍ରାପଡ଼ା ଜିଲ୍ଲା ଜଜ୍‌ ଏହି ରାୟ ଶୁଣାଇଛନ୍ତି।

୨୦୧୩ ମସିହାରେ କେନ୍ଦ୍ରାପଡା ଜିଲ୍ଲା ଆଳି ଅଂଚଳର ସାର ବ୍ୟବସାୟୀ ସାହା ନବାଜ ଖାଁଙ୍କୁ ଦାଦାବଟି ମାଗି ବିଫଳ ହେଲା ପରେ ସେକ୍ କାଦିର ତାଙ୍କୁ ଦୋକାନରେ ଗୁଳିକରି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ତେବେ ଏହି ମାମଲାରେ ଅନ୍ୟ ୮ ଜଣ ଅଭିଯୁକ୍ତ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହୋଇଥିବା ପବ୍ଲିକ ପ୍ରସିକ୍ୟୁଟର ମାନସ ରଞ୍ଜନ ବେହେରା ସୂଚନା ଦେଇଛନ୍ତି ।

ଦୁର୍ଦ୍ଦାନ୍ତ ଅପରାଧୀ ତଥା ବିଗତ ଦିନର ଗ୍ୟାଙ୍ଗଷ୍ଟର ହାଇଦରର ବଡ଼ ପୁଅ ହେଉଛି ସେକ୍ କାଦିର। କାଦିର ନାମରେ ବିଭିନ୍ନ ଥାନାରେ ପ୍ରାୟ ୩୦ରୁ ଅଧିକ ମାମଲା ରହିଛି। ଧମକ ଚମକ ଦେବା, ଦାଦାବଟି ଆଦାୟ, ହତ୍ୟା ଧମକ, ଟେଣ୍ଡର ଫିକ୍ସିଂ, ବୋମାମାଡ଼, ଲୁଟ୍, ହତ୍ୟା ପ୍ରଭୃତି ମାମଲାରେ ସେକ୍ କାଦିରର ସମ୍ପୃକ୍ତି ରହିଛି । ନିକଟରେ ହାଇଦରର ମୃତ୍ୟୁ ପରେ ନିଜ ବାପାର ଅନ୍ତ୍ୟଷ୍ଟି କ୍ରିୟାରେ ଯୋଗଦେବା ପାଇଁ ସେକ୍ କାଦିର ଜାମିନ ପାଇବା ପାଇଁ କୋର୍ଟଙ୍କ ନିକଟରେ ପ୍ରାର୍ଥନା କରିଥିଲେ।