ଟି-୨୦ ବିଶ୍ବକପ: ଷ୍ଟାଡିୟମ୍‌ କ୍ଷମତାର ୭୦ ପ୍ରତିଶତ ଦର୍ଶକଙ୍କୁ ମିଳିବ ଅନୁମତି

ଦୁବାଇ ୪।୧୦: (ସଂକେତ ଟିଭି) ଚଳିତ ମାସ ଶେଷ ଭାଗରେ ଟି-୨୦ ବିଶ୍ବକପ ଆରମ୍ଭ ହେବ । ଏହା ୟୁଏଇ ଓ ଓମାନରେ ଖେଳାଯିବା ନେଇ ସୂଚୀ ରହିଛି । ତେବେ ଷ୍ଟାଡିୟମରେ ଥିବା ଦର୍ଶକ କ୍ଷମତାର ପ୍ରାୟ ୭୦ ପ୍ରତିଶତ ଦର୍ଶକଙ୍କୁ ଏହି ମ୍ଯାଚ୍ ଦେଖିବାକୁ ଅନୁମତି ମିଳିବ । ସୋମବାର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଏନେଇ ସ୍ପଷ୍ଟ କରିଛି ।

ୟୁଏଇର ସମସ୍ତ ଭେନ୍ୟୁରେ ହେବାକୁ ଥିବା ମ୍ୟାଚ୍‌ରେ ଷ୍ଟାଡିୟମ ଦର୍ଶକ କ୍ଷମତାର ପ୍ରାୟ ୭୦ ପ୍ରତିଶତମ ଲୋକଙ୍କୁ ବସିବାର ଅନୁମତି ମିଳିବ । ସେହିପରି ଆବୁଧାବିରେ ସାମାଜିକ ଦୂରତା ରକ୍ଷା ସହ ପୂର୍ବ ଓ ପଶ୍ଚିମ ଗ୍ରାସ୍‌ ମାଉଣ୍ଡ୍‌ସରେ ସର୍ବାଧିକ ୪ଟି ସ୍ଥାନରେ ଦର୍ଶକ ବସିବାର ସୁବିଧା ଉପଲବ୍ଧ ହେବ । ଓମାନ କ୍ରିକେଟ ଏକେଡାମୀରେ ୩,୦୦୦ ଦର୍ଶକଙ୍କ ପାଇଁ ସାମୟିକ ବ୍ୟବସ୍ଥା ରହିଛି ।

ଆଇସିସି ଓ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ମିଳିତ ଭାବେ ଆୟୋଜନର ଅଧିକାରୀଙ୍କ ସହ ମିଶି ସମସ୍ତ ଭେନ୍ୟୁରେ କୋଭିଡ ନିୟମ ପାଳନ ସହ ସୁରକ୍ଷିତ ପରିବେଶରେ ଷ୍ଟାଡିୟମରେ ଦର୍ଶକଙ୍କୁ ଉପସ୍ଥିତ ରହିବା ନେଇ କାର୍ଯ୍ୟ କରୁଛନ୍ତି ।

ଓମାନ ଓ ପପୁଆ ନ୍ୟୁ ଗିନିଆ ମଧ୍ୟରେ ମସକାଟ୍‌ରେ ରାଉଣ୍ଡ ୧ ମ୍ୟାଚ୍‌ରୁ ଟୁର୍ଣ୍ଣାମେଣ୍ଟର ଆରମ୍ଭ ହେବ । ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ଅକ୍ଟୋବର ୨୩ରେ ଆବୁଧାବିରେ ପ୍ରଥମ ସୁପର-୧୨ ମ୍ୟାଚ୍‌ ଖେଳିବେ । ପରେ ଅକ୍ଟୋବର ୨୩ରେ ଦୁବାଇରେ ୨୦୧୬ ଫାଇନାଲ ମ୍ୟାଚ୍‌ର ରିପ୍ଲେ ଅର୍ଥାତ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବ । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ଅକ୍ଟୋବର ୨୪ରେ ଦୁବାଇରେ ମୁହାଁମୁହିଁ ହେବେ ।

ଓମାନ ଓ ୟୁଏଇରେ ଟିକେଟର ମୂଲ୍ୟ ୧୦ ଓଏମଆର୍ (ଭାରତୀୟ ମୁଦ୍ରାରେ- ୧୯୨୫.୬୫ ଟଙ୍କା) ଓ ୩୦ ଏଇଡି (ଭାରତୀୟ ମୁଦ୍ରାରେ-୬୦୫.୫୯ ଟଙ୍କା) ମଧ୍ୟରେ ରହିବ ।