ଗାଁକୁ ନାହିଁ ରାସ୍ତା, ଖଟିଆରେ ଗର୍ଭବତୀକୁ ବୋହି ନେଉଥିବା ବେଳେ ହେଲା ପ୍ରସବ

ବସ୍ତା ୦୯/୧୦ : (ପ୍ରଶାନ୍ତ ସେନାପତି) ସ୍ବାଧୀନତାର 75 ବର୍ଷପରେ ଗାଁକୁ ରାସ୍ତା ନାହିଁ। ଆଉ ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ଆସିପାରିଲାନି, ଖଟିଆରେ ଗର୍ଭବତୀକୁ ବୋହି ନେଉଥିବା ବେଳେ ହେଲା ପ୍ରସବ। ଏହାର ଭିଡିଓ ହେଲା ଭାଇରାଲ। ଏଭଳି ଚିତ୍ର ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ସନ୍ତୋଷପୁର ପଞ୍ଚାୟତ ଲୋକନାଥପୁର ଆଦିବାସୀ ସାହିରେ।

ଲୋକନାଥପୁର ଆଦିବାସୀ ସାହିର ସୋନାରାମ ମୁର୍ମୁଙ୍କ ସ୍ତ୍ରୀ ଶନିଆ ମୁର୍ମୁ ଆଜି ଭୋରରୁ ପ୍ରସବ ଯନ୍ତ୍ରଣା ଅନୁଭବ କରି ଆମ୍ବୁଲାନ୍ସ କୁ ଖବର ଦେଇଥିଲେ। ତେବେ ଗାଁକୁ ଅଣଅସାରିଆ ବିଲ ରାସ୍ତା ସାଙ୍ଗକୁ ଘାଇ ଥିବାରୁ ଆମ୍ବୁଲାନ୍ସ ଆସିପାରିନଥିଲା। ପରିବାର ଲୋକେ ଖଟିଆରେ ଦୀର୍ଘ ଦୁଇ କିମି ଦୂରରେ ଥିବା ଆମ୍ବୁଲାନ୍ସ ନିକଟକୁ ଗର୍ଭବତୀ ମହିଳାଙ୍କୁ ଆଣୁଥିବା ବେଳେ ରାସ୍ତାରେ ମହିଳାଙ୍କ ପ୍ରସବ ହୋଇଥିଲା।

ତେବେ କେବଳ ସନିଆଙ୍କ କ୍ଷେତ୍ରରେ ଏହି ସମସ୍ୟା ନୁହେଁ। ଗ୍ରାମର ଯଦି କେହି ଗୁରତର ହୋଇ ପଡ଼ନ୍ତି , ସେମାନଙ୍କୁ କେବଳ ଖଟିଆ ହିଁ ଭରଷା। ଆଉ ସ୍କୁଲ ଅଙ୍ଗନବାଡି ପିଲାଙ୍କ କଥା ନକହିବା ଭଲ। ବର୍ଷା ହେଲେ ଗାଡି ମୋଟର ଯିବାତ ଦୂରର କଥା ଚାଲି କରି ଯିବା ମଧ୍ୟ ସମ୍ଭବ ହୁଏ ନାହିଁ। ତେଣୁ ସ୍ଥାୟୀ ରାସ୍ତାଟିଏ ଗ୍ରାମବାସୀ ଦାବି କରିଛନ୍ତି।

ତେବେ ଏନେଇ ସ୍ଥାନୀୟ ସରପଞ୍ଚ ସମସ୍ୟା ବାବଦରେ ଅବଗତ ଅଛନ୍ତି ସରକାରୀ ରାସ୍ତା ନଥିବାରୁ ରାସ୍ତାହୋଇ ପାରୁ ନାହିଁ ବୋଲି ସୂଚନା ଦେଇଛନ୍ତି।