ବିଧାୟକଙ୍କ ଗାଡି ଉପରକୁ ବୋମା ମାଡ କଲେ ଦୁର୍ବୁତ୍ତ

କେନ୍ଦୁଝର ୧୦/୧୦: (ସଂକେତ ଟିଭି) ବିଧାୟକ ମୋହନ ଚରଣ ମାଝିଙ୍କ ଗାଡିକୁ ବୋମାମାଡ ହୋଇଛି । କେନ୍ଦୁଝର ଟାଉନ ଥାନା ମାଣ୍ଡୁଆ ଅରଡେଇ ନଦୀ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ଏକ ମୋଟର ସାଇକେଲରେ ଆସି ବୋମାମାଡ କରି ଫେରାର୍ ହୋଇଯାଇଛନ୍ତି ।

ସୂଚନା ଅନୁସାରେ, ଆଜି ଦିନ ୧୧ଟା ବେଳେ ସେ ମଣ୍ଡୁଆସ୍ଥିତ ଶିକ୍ଷା ବିକାଶ ସମିତି ଅଫିସଠାରେ ଅନୁଷ୍ଠିତ ଭାରତୀୟ ମଜଦୁର ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବାକୁ ଯାଇଥିଲେ । ବୈଠକସାରି ଫେରୁଥିବାବେଳେ ୧୧ଟା ୫୫ ମିନିଟ ସମୟରେ ଦୁଇଜଣ ଯୁବକ ଏକ ବାଇକରେ ଆସି କାର ଉପରକୁ ଦୁଇଟି ବୋମା ଫିଙ୍ଗିବା ସହ ପିସ୍ତଲ ଦେଖାଇଥିଲେ ।

ପରେ ଅଙ୍ଗରଖି ଓ ଡ୍ରାଇଭର ଗାଡି ରୁ ଓହ୍ଲାଇ ବାରୁ ପୁଣିଥରେ ଅନ୍ୟ ଏକ ବୋମା ବିଧାୟକଙ୍କ ଗାଡ଼ି ଉପରକୁ ଫୋପାଡ଼ି ଦୃଢ ଗତିରେ ନରଣପୁର ରେଲୱେ ଷ୍ଟେସନ ଆଡ଼େ ପଳାଇ ଯାଇଥିଲେ । ମୋହନଙ୍କ ଗାଡ଼ି ତାଙ୍କୁ ପିଛା କରିଥିଲେ ସୁଧା ଅଣଓସାରିଆ ରାସ୍ତାର ସୁଯୋଗ ନେଇ ସେମାନେ ଖସି ଯିବାରେ ସଫଳ ହୋଇଥିଲେ ।

ଏହାପରେ ବିଧାୟକ ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବା ସହ ବିଭିନ୍ନ ସ୍ଥାନରେ ନାକା ବନ୍ଦି କରି ଦୁର୍ବୁତ କୁ ଧରିବାକୁ ଚେଷ୍ଟା ଜାରି ରଖିଛି ।

ତେବେ ଏହି ଘଟଣାରେ ଜିଲ୍ଲା ଯୁବ ବିଜେଡି ଉପସଭାପତି ରାଜା ଚକ୍ରଙ୍କ ହାତ ଥାଇପାରେ ବୋଲି ସନ୍ଦେହ ଶ୍ରୀ ମାଝି ପ୍ରକାଶ କରିଛନ୍ତି । ଏହି ଆକ୍ରମଣ ତାଙ୍କୁ ହତ୍ୟା କରିବା ପାଇଁ କରାଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି । ରାଜନୈତିକ ଶତ୍ରୁତାରୁ ଏହି ଆକ୍ରମଣ କରାଯାଇଥିବା ସେ କହିଛନ୍ତି ।