ଲକ୍ଷୀମପୁର ଖେରୀ ହିଂସା ଘଟଣା : ଅଭିଯୁକ୍ତ ଆଶିଷ ମିଶ୍ରଙ୍କୁ ୩ ଦିନ ରିମାଣ୍ଡରେ ନେଲା ପୋଲିସ

ନୂଆଦିଲ୍ଲୀ ୧୧/୧୦: (ସଂକେତ ଟିଭି) ଲକ୍ଷୀମପୁର ଖେରୀ ହିଂସା ଘଟଣାର ଗିରଫ ଅଭିଯୁକ୍ତ ଆଶିଷ ମିଶ୍ରଙ୍କୁ ତିନି ଦିନିଆ ପୋଲିସ ରିମାଣ୍ଡରେ ପଠାଇ ଦିଆଯାଇଛି। ତେବେ ପୋଲିସ 14 ଦିନ ରିମାଣ୍ଡରେ ନେବାକୁ ଚେଷ୍ଟା କରିଥିଲା। ଆଶିଷ ବର୍ତ୍ତମାନ ଅକ୍ଟୋବର 12 ରୁ 15 ପର୍ଯ୍ୟନ୍ତ ପୋଲିସ ରିମାଣ୍ଡରେ ରହିବେ। କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ର ତେନିଙ୍କ ପୁଅ ହେଉଛନ୍ତି ଆଶିଷ।

ସରକାରୀ ଓକିଲ ଏସପି ଯାଦବ କହିଛନ୍ତି ଯେ ଆଶିଷ ମିଶ୍ରଙ୍କୁ ତିନି ଦିନିଆ ରିମାଣ୍ଡରେ ପଠାଯାଇଛି। 14 ଦିନର ରିମାଣ୍ଡ ପାଇଁ ଅପିଲ କରାଯାଇଥିଲା । ହେଲେ ତିନି ଦିନର ରିମାଣ୍ଡ ମଞ୍ଜୁର କରାଯାଇଛି। ସର୍ତ୍ତ ସହିତ 12 ତାରିଖରୁ 15 ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନିଆଯିବ। ଏହି ସମୟରେ ତାଙ୍କର ସ୍ବାସ୍ଥ୍ଯ ପରୀକ୍ଷା କରାଯିବ ଏବଂ ତାଙ୍କୁ ହଇରାଣ କରାଯିବ ନାହିଁ । ତଦନ୍ତ କାରୀ ଅଫିସର ଦୂରରୁ ଠିଆ ହୋଇ ପଚରାଉଚରା କରିପାରିବେ ।

ଏହାପୂର୍ବରୁ ଆଶିଷଙ୍କ ଓକିଲ ଅବଧେଷ ସିଂ କହିଥିଲେ ଯେ ଏସଆଇଟି ପକ୍ଷରୁ ଆଶିଷଙ୍କୁ 40 ଟି ପ୍ରଶ୍ନ ପଚରାଯାଇଥିବା କୁହାଯାଇଥିଲା । ହେଲେ ପ୍ରକୃତରେ ତାଙ୍କୁ ହଜାରେରୁ ଅଧିକ ପ୍ରଶ୍ନ ପଚରାଯାଇଥିଲା। ବର୍ତ୍ତମାନ କଣ ପଚାରିବାକୁ ବାକି ଅଛି ଯେ ରିମାଣ୍ଡ ଦରକାର ବୋଲି ସେ ପ୍ରଶ୍ନ କରିଥିଲେ । ଯଦି ଆପଣଙ୍କର ଆଉ କିଛି ପ୍ରଶ୍ନର ତାଲିକା ଅଛି ତେବେ ଦେଖାନ୍ତୁ ବୋଲି ସେ କହିଥିଲେ ।

ଲକ୍ଷୀମପୁର ଖେରୀରେ ଆଠ ଜଣଙ୍କର ମୃତ୍ୟୁ ଘଟଣା-
ସୂଚନା ଅନୁସାରେ, ଅକ୍ଟୋବର 3 ତାରିଖରେ ଲକ୍ଷୀମପୁର ଖେରୀ ହିଂସାରେ ଚାରି ଜଣ ଚାଷୀଙ୍କ ସମେତ ଆଠ ଜଣଙ୍କର ମୃତ୍ୟୁ ଘଟିଥିଲା। କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ 12 ଘଣ୍ଟା ପଚରାଉଚରା ପରେ ଶନିବାର ରାତିରେ ଲକ୍ଷ୍ମପୁରରେ ଗିରଫ କରାଯାଇଥିଲା।