ବିଜେପିକୁ ଝଟକା: କଂଗ୍ରେସରେ ଯୋଗ ଦେଲେ ଉତ୍ତରାଖଣ୍ଡର ମନ୍ତ୍ରୀ ଓ ବିଧାୟକ

ନୂଆଦିଲ୍ଲୀ ୧୧/୧୦: (ସଂକେତ ଟିଭି) ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ୨୦୨୨ ପୂର୍ବରୁ ବିଜେପିକୁ ଜୋରଦାର ଝଟକା ଦେଲା କଂଗ୍ରେସ । ପରିବହନ ମନ୍ତ୍ରୀ ଯଶପାଲ ଆର୍ଯ୍ୟ ନିଜ ପୁଅ ତଥା ନୈନିତାଲ ବିଧାୟକ ସଞ୍ଜୀବ ଆର୍ଯ୍ୟଙ୍କ ସହ ସୋମବାର କଂଗ୍ରେସରେ ସାମିଲ ହୋଇଛନ୍ତି । ଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବାପ-ପୁଅ କଂଗ୍ରେସରେ ଯୋଗ ଦେଇଛନ୍ତି ।

ଯଶପାଲ ଉତ୍ତରାଖଣ୍ଡ ସରକାରରେ ସମାଜ କଲ୍ୟାଣ ଓ ପରିବହନ ମନ୍ତ୍ରୀ ଥିଲେ । ଦୁଇ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ, ରାଜ୍ୟ ପ୍ରଭାରୀ ଦେବେନ୍ଦ୍ର ଯାଦବ, କଂଗ୍ରେସ ରାଜ୍ୟ ସଭାପତି ଗଣେଶ ଗୋଦିୟାଲଙ୍କ ସହିତ ଜାତୀୟ ସାଧାରଣ ସଂପାଦକ କେସି ବେଣୁଗୋପାଳ, ଜାତୀୟ ମୁଖପାତ୍ର ରଣଦୀପ ସୁରଜେୱାଲାଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଛନ୍ତି ।

ବାଜପୁରରୁ ବିଧାୟକ ତଥା ସମାଜ କଲ୍ୟାଣ ମନ୍ତ୍ରୀ ଯଶପାଲ ଆର୍ଯ୍ୟ ଏବଂ ତାଙ୍କ ପୁଅ ସଞ୍ଜୀବ ଆର୍ଯ୍ୟ ହେଉଛନ୍ତି ନୈନିତାଲର ବିଧାୟକ । ଉଭୟ ୨୦୧୭ରେ କଂଗ୍ରେସ ଛାଡି ବିଜେପିରେ ମିଶିଥିଲେ । ଏହା ପରେ ବିଜେପି ଉଭୟ ବାପ-ପୁଅଙ୍କୁ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କରିଥିଲା । ବାପା ଏବଂ ପୁଅ ବିଜେପିକୁ ନିରାଶ ନକରି ବିଜୟୀ ହୋଇଥିଲେ । ଫଳସ୍ୱରୂପ ବିଜେପି ସରକାରରେ ଯଶପାଲଙ୍କୁ କ୍ୟାବିନେଟରେ ମନ୍ତ୍ରୀ କରାଯାଇଥିଲା । ହେଲେ ବିଧାନସଭା ନିର୍ବାଚନ ୨୦୨୨ ପୂର୍ବରୁ ପୁଣି ଥରେ ଯଶପାଲ ଏବଂ ସଞ୍ଜୀସବ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି ।