ଅକ୍ଟୋବର ୧୮ରୁ ବିମାନ ଯାତ୍ରା ଉପରୁ ହଟିବ କଟକଣା, ବିମାନର ପୂରା ସିଟ୍ ହେବ ବୁକ୍

ନୂଆଦିଲ୍ଲୀ ୧୨/୧୦: (ସଂକେତ ଟିଭି) ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଖୁସିଖବର । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଘରୋଇ ଉଡାଣ ଉପରେ ଲଗାଇଥିବା କଟକଣା କୋହଳ କରିଛନ୍ତି। ମନ୍ତ୍ରଣାଳୟ ଅକ୍ଟୋବର ୧୮ରୁ ଘରୋଇ ଉଡାଣକୁ ୧୦୦ ପ୍ରତିଶତ କ୍ଷମତା ସହିତ ସଞ୍ଚାଳନ କରିବାକୁ ଅନୁମତି ଦେଇଛନ୍ତି। ମଙ୍ଗଳବାର ଏହି ସମ୍ବନ୍ଧରେ ନିର୍ଦ୍ଦେଶ ଜାରି କରାଯାଇଛି।

ସୂଚନାଯୋଗ୍ୟ, ଗତ ବର୍ଷ କରୋନା ଲକଡାଉନ୍‌ରେ ଉଡାଣ ଉପରେ ସଂପୂର୍ଣ୍ଣ କଟକଣା ଲଗାଯାଇଥିଲା। ପରେ ୨୦୨୦ ମେ ୨୫ରେ ୩୩ ପ୍ରତିଶତ କ୍ଷମତା ସହିତ ଉଡାଣ ଭରିବାକୁ ଅନୁମତି ଦିଆଯାଇଥିଲା। ପରେ ୨୦୨୦ ଡିସେମ୍ବରରେ ଏହାକୁ ବୃଦ୍ଧି କରାଯାଇ ୮୦ ପ୍ରତିଶତ କରାଯାଇଥିଲା। ଗତ ମାସର ତୃତୀୟ ସପ୍ତାହରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଘରୋଇ ଉଡାଣକୁ ୮୫ ପ୍ରତିଶତ କ୍ଷମତା ସହ ସଞ୍ଚାଳନ କରିବାକୁ ଅନୁମତି ଦେଇଥିଲେ।

ହେଲେ ଏବେ ଏହି କଟକଣା ଉଠାଇଦିଆଯାଇଛି । ସରକାରଙ୍କ ନିଷ୍ପତ୍ତି ଅନୁଯାଯୀ, ସମ୍ପୂର୍ଣ୍ଣ କ୍ଷମତା ସହ ଉଡିପାରିବ ବିମାନ । ୧୮ ଅକ୍ଟୋବରରୁ ଏହା କାର୍ଯ୍ୟକାରୀ ହେବ । ମହାମାରୀ କୋରୋନା କାରଣରୁ ୨୩ ମାର୍ଚ୍ଚ ୨୦୨୦ରୁ ଅନ୍ତରାଷ୍ଟ୍ରୀୟ ଉଡାଣ ଉପରେ ରୋକ ଲଗାଇ ଦିଆଯାଇଥିଲା ।ହେଲେ ମେ ୨୦୨୦ରୁ ବନ୍ଦେ ଭାରତ ମିଶନ ଅଧିନରେ ବିଶେଷ ଅନ୍ତରାଷ୍ଟ୍ରୀୟ ଉଡାଣର ପରିଚାଳନା ହୋଇଆସୁଛି । ଅନ୍ୟପକ୍ଷେ କିଛି ନିର୍ଦ୍ଧିଷ୍ଟ ଦେଶ ସହ ଦ୍ବିପାକ୍ଷିକ ବ୍ୟବସ୍ଥା ଆଧାରରେ ୨୦୨୦ରୁ ବିମାନ ଉଡାଣ ହେଉଛି ।