୨ରୁ ୧୮ ବର୍ଷର ପିଲାଙ୍କୁ ଲାଗିବ ଟିକା, କୋଭାକ୍ସିନକୁ ଜରୁରୀକାଳୀନ ମଞ୍ଜୁରୀ

ନୂଆଦିଲ୍ଲୀ ୧୨/୧୦: (ସଂକେତ ଟିଭି) ଦେଶରେ ଖୁବ ଶୀଘ୍ର ପିଲାଙ୍କୁ ଦିଆଯିବ କୋଭିଡ ଟିକା । ୨ରୁ ୧୮ ବର୍ଷର ପିଲା ନେବେ କୋଭାକ୍ସିନ । ଏନେଇ ଜରୁରିକାଳୀନ ବ୍ୟବହାର ପାଇଁ କୋଭାକ୍ସିନ୍ ଟିକାକୁ ଅନୁମତି ଦେଲା ସବଜେକ୍ଟ ଏକ୍ସପର୍ଟ କମିଟି(ଏସଇସି)। ଏହି ଟିକାକୁ ଭାରତ ବାୟୋଟେକ୍ ଏବଂ ଆଇସିଏମ୍ଆର୍ ମିଳିତ ଭାବେ ତିଆରି କରିଛନ୍ତି।

ସୂଚନା ଅନୁଯାୟୀ, ଏହି ଟିକାର କ୍ଲିନିକାଲ୍ ପରୀକ୍ଷଣ କରାଯାଇଥିବା ବେଳେ କରୋନା ଭୂତାଣୁ ବିରୋଧରେ ଏହା ୭୮ ପ୍ରତିଶତ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି। ଏହି ଟିକା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବ ଏବଂ କୌଣସି ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଇ ନାହିଁ।

ଭାରତରେ ୨ ବର୍ଷରୁ ୧୮ବର୍ଷ ବୟସର ପିଲାମାନଙ୍କ ଉପରେ ଦ୍ବିତୀୟ ଏବଂ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଆରମ୍ଭ ହୋଇଥିଲା । ହାଇଦ୍ରାବାଦଭିତ୍ତିକ କମ୍ପାନି ଭାରତ ବାୟୋଟେକ୍ ସେପ୍ଟେମ୍ବରରେ ୧୮ବର୍ଷରୁ କମ୍ ପିଲାମାନଙ୍କ ଉପରେ କୋଭାକ୍ସିନର ଦ୍ୱିତୀୟ ପର୍ଯ୍ୟାୟ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷା ଶେଷ କରି ଏହି ମାସ ଆରମ୍ଭରେ ଡିସିଜିଆଇକୁ ପରୀକ୍ଷାର ତଥ୍ୟ ଦେଇଥିଲା। ଏବେ ବିସ୍ତୃତ ବିଚାରବିମର୍ଶ ପରେ, କମିଟି ୧୮ବର୍ଷରୁ କମ ବୟସ୍କଙ୍କୁ ଟିକା ଦେବା ପାଇଁ କୋଭାକ୍ସିନକୁ ଅନୁମତି ଦେଇଛି। ଏହି ଟିକାର ଦୁଇଟି ଡୋଜ ୨୦ଦିନର ବ୍ୟବଧାନରେ ପିଲାଙ୍କୁ ଦିଆଯାଇପାରିବ। ସୋମବାର ବସିଥିବା ବୈଠକରେ ଟିକା ସମ୍ପର୍କରେ ଏହି ନିଷ୍ପତ୍ତି ନିଆଯାଇଛି। ଏସଇସି ଏହାର ସୁପାରିଶ ପାଇଁ ଭାରତର ଡ୍ରଗ୍ସ କଣ୍ଟ୍ରୋଲରଙ୍କ ନିକଟକୁ ପଠାଇଥିଲା ।

ତେବେ ଏ ପର୍ଯ୍ୟନ୍ତ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ)କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ଅନୁମତି ପ୍ରଦାନ କରିନାହିଁ। ରିପୋର୍ଟ ଅନୁଯାୟୀ ଭାରତ ବାୟୋଟେକ ଜୁଲାଇ ୯ରେ ‘ହୁ’ ନିକଟରେ ଆବଶ୍ୟକ ସମସ୍ତ ଦସ୍ତାବିଜ ଦାଖଲ କରିଥିଲା ଏବଂ ପ୍ରାୟ ଜୁଲାଇ ଶେଷ ସୁଦ୍ଧା ‘ହୁ’ ସମୀକ୍ଷା ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ଏହାପୂର୍ବରୁ ଆମେରିକାର ଟିକା ନିର୍ମାତା ଫାଇଜର ଏବଂ ବାୟୋଏନଟେକ ୫ ରୁ ୧୧ ବର୍ଷ ବୟସର ପିଲାମାନଙ୍କ ପାଇଁ କୋରୋନା ଟିକାର ଜରୁରୀକାଳୀନ ବ୍ୟବହାର କ୍ଷେତ୍ରରେ ଔଷଧ ନିୟନ୍ତ୍ରକ ଓ ଖାଦ୍ୟ ଏବଂ ଔଷଧ ପ୍ରଶାସନଠାରୁ ଅନୁମତି ମାଗିଛି। ଏହି ପଦକ୍ଷେପ ସହିତ ଆମେରିକାର ପ୍ରାୟ ୨ କୋଟି ୮୦ ଲକ୍ଷ ପିଲା ଏହି ଟିକା ପାଇବେ। ଏନେଇ ତଥ୍ୟ ଏଫଡିଏରେ ଫାଇଜର ଦାଖଲ କରିସାରିଛି ।