ବାପା ମୋବାଇଲ୍ ଛଡ଼ାଇ ନେବାରୁ ଆତ୍ମହତ୍ୟା କଲା ୧୩ ବର୍ଷର ବାଳକ

କୋରାପୁଟ ୧୩/୧୦: (ସଂକେତ ଟିଭି) ପରିବାର ଲୋକେ ମୋବାଇଲ୍ ଛଡ଼ାଇ ନେବାରୁ, ବାଳକର ଆତ୍ମହତ୍ୟା ଅଭିଯୋଗ । ଏଭଳି ଘଟଣା ଘଟିଛି କୋରାପୁଟ ଗୌତମନଗର ଅଞ୍ଚଳରେ । ମୃତ ନାବାଳକଙ୍କ ନାଁ ବି. ମନୋହର। ତାଙ୍କୁ ୧୩ ବର୍ଷ ହୋଇଥିଲା। ସେ କୋରାପୁଟ ସ୍ଥିତ ଏକ ଘରୋଇ ସ୍କୁଲ୍‌ରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲେ। ତାଙ୍କ ବାପାଙ୍କ ନାଁ ଶ୍ରୀନିବାସ ରାଓ।

ସୂଚନା ଅନୁସାରେ ବି.ମନୋହର ବାଇଲ୍‌ରେ ଖେଳୁଥିଲା । ଅଧିକାଂଶ ସମୟରେ ମୋବାଇଲ୍‌ରେ ଗେମ୍ ଖେଳୁଥିବାରୁ ବାପା ବି.ଶ୍ରୀନିବାସ ତାକୁ ତାଗିଦ କରିବା ସହ ମୋବାଇଲ୍‌ଟିକୁ ଛଡ଼ାଇ ନେଇଥିଲେ । ବାପାଙ୍କ ରାଗରେ ଉତ୍‌କ୍ଷୀପ୍ତ ହୋଇପଡିଥିଲେ ୧୩ ବର୍ଷର ପୁଅ । ପରବର୍ତ୍ତୀ ସମୟରେ ନିଜକୁ ଘର ଭିତରେ ବନ୍ଦ କରି ବେକରେ ଶାଢ଼ି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି ।

ପରିବାର ଲୋକେ ବହୁ କଷ୍ଟରେ କବାଟ ଖୋଲି ତାଙ୍କୁ ଗୁରୁତର ଅବସ୍ଥାରେ କୋରାପୁଟ ଡାକ୍ତରଖାନାକୁ ନେଇଥିଲେ। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଟାଉନ୍ ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ଏ ସମ୍ପର୍କରେ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ।