ଆଇପିଏଲ : ଦିଲ୍ଲୀ କ୍ୟାପିଟାଲ୍ସକୁ ମାତ୍ ଦେଇ ଫାଇନାଲରେ ପହଞ୍ଚିଲା କୋଲକାତା ନାଇଟ୍‌ ରାଇଡସ୍‌

ସାରଜା ୧୩/୧୦: (ସଂକେତ ଟିଭି) କୋଲକାତା ନାଇଟ୍‌ ରାଇଡସ୍‌ର ଆଇପିଏଲ ୨୦୨୧ର ଦ୍ଵିତୀୟ କ୍ଵାଲିଫାୟର ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାଜିତ କରି ଫାଇନାଲକୁ ପ୍ରବେଶ କରିଛି । ଆସନ୍ତା ଶୁକ୍ରବାର ଦିନ ଅନୁଷ୍ଠିତ ହେବାକୁ ଥିବା ଫାଇନାଲ୍‌ରେ କୋଲକାତା ଚେନ୍ନାଇ ସୁପର କିଙ୍ଗ୍ସକୁ ଭେଟିବ।

ଟସ୍ ଜିତି ପ୍ରଥମେ ବୋଲିଂ କରିଥିବା କୋଲକାତା ବୋଲର ଅଧିନାୟକ ଇଅନ ମୋର୍ଗାନଙ୍କ ନିଷ୍ପତ୍ତିକୁ ସଠିକ୍ ସାବ୍ୟସ୍ତ କରି ଦିଲ୍ଲୀର ସ୍କୋରକୁ ୧୩୫ ରନରେ ସୀମିତ ରଖିଥିଲେ। ଧିମା ପିଚ୍‌ରେ ଦିଲ୍ଲୀ ବ୍ୟାଟସମ୍ୟାନଙ୍କୁ ପ୍ରତିଟି ରନ ପାଇଁ ସଂଘର୍ଷ କରିବାକୁ ପଡିଥିଲା। ଓପନର ପୃଥ୍ଵୀ ଶୋ ୧୮ ରନ କରିଥିବା ବେଳେ ଧାଓ୍ଵନ ୩୬ ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାର୍କସ ଷ୍ଟୋଇନିସ୍ ୧୮, ଋଷଭ ପନ୍ତ ୬ ଏବଂ ହେଟମାୟର ଦ୍ରୁତ ୧୭ ରନ କରିଥିଲେ। ଶ୍ରେୟସ ଆୟର ଅପରାଜିତ ୩୦ ରନର ଉଲ୍ଲେଖନୀୟ ଇନିଂସ ଖେଳିଥିଲେ। ଫଳରେ ଦିଲ୍ଲୀ ୫ ଓ୍ଵିକେଟ୍ ହରାଇ ୧୩୫ ରନ କରିଥିଲା।

କୋଲକାତା ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ୨୬ ରନ ଦେଇ ସର୍ବାଧିକ ୨ଟି ଓ୍ଵିକେଟ୍ ନେଇଥିଲେ। ଲୋକି ଫର୍ଗ୍ୟୁସନ ଓ ଶିବମ ମାଭିଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଥିଲା।

୧୩୬ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା କୋଲକାତାର ଦୁଇ ଓପନର ଭେଙ୍କଟେଶ ଆୟର ଓ ଶୁବମାନ ଗିଲଙ୍କ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଭେଙ୍କଟେଶ ଆଇପିଏଲରେ ତୃତୀୟ ଅର୍ଦ୍ଧଶତକ ପୂରା କରିଥିଲେ। ସେ ୪୧ ବଲ୍‌ରୁ ୪ ଚୌକା ଓ ୩ ଛକା ସହ ୫୫ ରନ କରି ଆଉଟ୍ ହୋଇଥିଲେ। ଏହା ପୂର୍ବରୁ ଗିଲ୍‌ଙ୍କ ସହ ପ୍ରଥମ ଓ୍ଵିକେଟ୍‌ରେ ୧୨.୨ ଓଭରରେ ୯୬ ରନ ଯୋଡି ଦଳର ବିଜୟ ସୁନିଶ୍ଚିତ କରିଥିଲେ। ନୀତିଶ ରାଣା(୧୩) ଆଉଟ୍ ହୋଇଥିଲେ। ଶୁଭମାନ ଗିଲ୍ ୪୬ ରନର ଉଲ୍ଲେଖନୀୟ ଇନିଂସ ଖେଳିଥିଲେ। ରାହୁଲ ତ୍ରିପାଠୀ ୫ ରନ କରି ପାଭିଲିୟନ ଫେରିଥିଲେ। ହେଲେ ଶେଷ ଆଡକୁ ୧୭ ଏବଂ ୧୮ ତମ ଓଭରରେ କୋଲକାତା ମାତ୍ର ୩ ରନ କରି ୨ ଓ୍ଵିକେଟ୍ ହରାଇବାରୁ ମ୍ୟାଚ୍‌ ରୋମାଞ୍ଚକର ହୋଇଥିଲା। ୧୯ ତମ ଓଭରରେ ୩ ରନ ସହ ୧ ଓ୍ଵିକେଟ୍ ହରାଇଥିଲା କୋଲକାତା। ଶେଷ ଓଭରରେ ଦରକାର ଥିଲା ୭ ରନ। ହେଲେ ୨୦ ତମ ଓଭରର ପଞ୍ଚମ ବଲ୍‌ରେ ରାହୁଲ ତ୍ରିପାଠୀ ଛକା ମାରି ଦଳକୁ ଅବିଶ୍ଵସନୀୟ ବିଜୟ ଦେଇଥିଲେ।

ଦିଲ୍ଲୀ ପକ୍ଷରୁ ଅନରିଚ ନୋତର୍ଜେ, ରବିଚନ୍ଦ୍ରନ ଅଶ୍ଵିନ ଓ କାଗିସୋ ରାବଡା ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ।