ଟି-୨୦ ବିଶ୍ବକପ୍‌ ପାଇଁ ଟିମ୍ ଇଣ୍ଡିଆର ନୂଆ ଜର୍ସି ଉନ୍ମୋଚିତ

ନୂଆଦିଲ୍ଲୀ ୧୩/୧୦: (ସଂକେତ ଟିଭି) ଟି-୨୦ ବିଶ୍ବକପ୍‌ ପାଇଁ ବିସିସିଆଇ ଟିମ୍‌ ଇଣ୍ଡିଆର ନୂଆ ଜର୍ସି ଉନ୍ମୋଚନ କରିଛି । ଜର୍ସିରେ ଟିମ୍‌ ଇଣ୍ଡିଆର କିଟ୍‌ ପ୍ରାୟୋଜକ ଏମପିଏଲ ସ୍ପୋର୍ଟ୍‌ସକୁ ସ୍ଥାନ ଦିଆଯାଇଛି । କୋଟିକୋଟି ଫ୍ୟାନ୍‌ଙ୍କ ପ୍ରେରଣାରେ ଏହି ଜର୍ସି ଉନ୍ମୋଚିତ ହୋଇଥିବା ନେଇ ବିସିସିଆଇ ଟ୍ବିଟ୍‌ କରିଛି ।

ଟିମ୍‌ ଇଣ୍ଡିଆର ଏହି ନୂଆ ଜର୍ସିକୁ ଫ୍ୟାନମାନେ ଏମପିଏଲ ୱେବସାଇଟ୍‌ରୁ ମଧ୍ୟ କିଣି ପାରିବେ । ନୂଆ ଜର୍ସିରେ ଟିମ ଇଣ୍ଡିଆର ଓପନର୍‌ କେଏଲ୍‌ ରାହୁଲ, ରୋହିତ ଶର୍ମା, ଅଧିନାୟକ ବିରାଟ କୋହଲି ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଓ ଫାଷ୍ଟ ବୋଲର ଜଶପ୍ରୀତ ନଜର ଆସିଛନ୍ତି ।

ଅକ୍ଟୋବର ୧୭ ତାରିଖରୁ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଆରମ୍ଭ ହେବ । ପ୍ରଥମ ରାଉଣ୍ଡର ଗ୍ରୁପ ବି ମ୍ୟାଚ ଆୟୋଜକ ଓମାନ୍‌ ଓ ପାପୁଆ ନିୟୁ ଗାଏନା ମଧ୍ୟରେ ଖେଳାଯିବ । ସେହିଦିନ ସନ୍ଧ୍ୟାରେ ଗ୍ରୁପ ବି ସ୍କଟ୍‌ଲ୍ୟାଣ୍ଡ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ ଖେଳାଯିବ । ଅନ୍ୟମାନଙ୍କ ମଧ୍ୟରେ ଏହି ଗ୍ରୁପରେ ଆୟର୍ଲାଣ୍ଡ୍‌, ନେଦରଲାଣ୍ଡ, ନାମିବିଆ ଭଳି ଦେଶ ରହିଛନ୍ତି । ଏହାପର ଦିନ ଗ୍ରୁପ୍‌ ଏ’ର ମ୍ୟାଚ୍‌ ଗୁଡ଼ିକ ଖେଳାଯିବ । ପ୍ରଥମ ରାଉଣ୍ଡ ମ୍ୟାଚ ଅକ୍ଟୋବର ୨୨ ପର୍ଯ୍ୟନ୍ତ ଖେଳାଯିବ ।

ପ୍ରଥମ ରାଉଣ୍ଡ ପରେ ଶୀର୍ଷରେ ଥିବା ଦୁଇଟି ଦଳ ସୁପର ୧୨ ପର୍ଯ୍ୟାୟ ଉନ୍ନିତ ହେବେ । ଏହାପରେ ଅକ୍ଟୋବର ୨୩ ତାରିଖରୁ ସୁପର ୧୨ ପର୍ଯ୍ୟାୟ ମ୍ୟାଚ ଆରମ୍ଭ ହେବ । ଟି-୨୦ ବିଶ୍ବକପ ୨୦୨୧ର ପ୍ରଥମ ସେମିଫାଇନାଲ ମ୍ୟାଚ ନଭେମ୍ବର ୧୦ ତାରିଖ ଆବୁଧାବିରେ ଖେଳାଯିବ । ଏହାପରେ ନଭେମ୍ବର ୧୧ ତାରିଖରେ ଦୁବାଇରେ ଦ୍ବିତୀୟ ସେମିଫାଇନାଲ ମ୍ୟାଚ ଖେଳାଯିବ । ଶେଷରେ ନଭେମ୍ବର ୧୪ ତାରିଖ ଫାଇନାଲ ମ୍ୟାଚ ଖେଳାଯିବ ।