ରାଜ୍ୟ କଂଗ୍ରେସ ଭବନରେ ବ୍ୟାପକ ଭଙ୍ଗାରୁଜା, ଉଗ୍ରରୂପ ନେଉଛି ଗୋଷ୍ଠୀକନ୍ଦଳ

ଭୂବନେଶ୍ବର ୧୩/୧୦: (ସଂକେତ ଟିଭି) ରାଜ୍ୟ କଂଗ୍ରେସ ଭବନରେ ବ୍ୟାପକ ଭଙ୍ଗାରୁଜା ହୋଇଛି । ଯୁବ କଂଗ୍ରେସ ଅଫିସ ତାଲା ଭାଙ୍ଗି କିଛି ଯୁବକ ଆଜି ସକାଳ ୬ଟାରେ ଅଫିସ୍ ଭିତରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର ନଷ୍ଟ ହୋଇଯାଇଛି । ସମସ୍ତ ଜିନିଷ ଗୁଡିକ ଭାଙ୍ଗି ଏଣେ ତେଣେ ବିଛାଡି ହୋଇ ପଡିଛି ।

ସୂଚନା ଅନୁସାରେ, ଗତକାଲି ରାତିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ସାଂଗଠନିକ ମୁଖ୍ୟକୁ ନେଇ ଦଳ ଭିତରେ ଅସନ୍ତୋଷ ଥିବା ଗୋଟିଏ ପରେ ଗୋଟିଏ ନିର୍ବାଚନରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଦଳୀୟ କର୍ମୀଙ୍କୁ ଅଧିକ ହତୋତ୍ସାହିତ କରିବା ସହ କ୍ଷୁବ୍ଧ କରୁଛି । ତେଣୁ ବିଭିନ୍ନ ସମୟରେ ଦଳର ରାଜ୍ୟ ନେତୃତ୍ୱକୁ ନେଇ ବିରୋଧ ପ୍ରଦର୍ଶନ ହୋଇଆସୁଛି ।

ପିପିଲିରେ କଂଗ୍ରେସ ମାତ୍ର ୪ ହଜାର ଭୋଟ୍ ପାଇବା ଦଳର ନେତା ଓ କର୍ମୀଙ୍କୁ କ୍ଷୁବ୍ଧ କରିଛି । ଯାହାର ପ୍ରତିଫଳନ କଂଗ୍ରେସ ଭବନ ସମ୍ମୁଖରେ ହୋଇଥିଲା । କିଛି କଂଗ୍ରେସ କର୍ମୀ ଦଳୀୟ ସଭାପତିଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନେତୃତ୍ୱ ପରିବର୍ତ୍ତନ ପାଇଁ ଦାବି କରିଥିଲେ ।

କଂଗ୍ରେସ ଦଳ ଆଗକୁ ବଢୁ ନଥିବାରୁ ଛାତ୍ର କଂଗ୍ରେସ ମଧ୍ୟରେ ଦିନକୁ ଦିନ ଆକ୍ରୋଶର ନିଆଁ ବଢିବାରେ ଲାଗିଛି । ଏହି ଭଙ୍ଗାରୁଜା କୌଣସି ବାହାର ଲୋକ କରିନାହାଁନ୍ତି । ଯୁବ କଂଗ୍ରେସର ଏହା ଏକ ଗୋଷ୍ଠୀ ବିବାଦ । ଏଥିରେ କୌଣସି ବରିଷ୍ଠ ନେତାଙ୍କ ହସ୍ତକ୍ଷପ ନାହିଁ । ପିପିଲି ନିର୍ବାଚନରେ ଛାତ୍ର ସଭାପତି କି କୌଣସି ଯୁବ କଂଗ୍ରେସକୁ ଦେଖିବାକୁ ମିଳି ନଥିଲା । ଯୁବ କଂଗ୍ରେରେଗୋଷ୍ଠୀ ବିବାଦ କାରଣରୁ ଏପରି ହୋଇଥାଇପାରେ ବୋଲି ଜଣେ କଂଗ୍ରେସର ବରିଷ୍ଠ ନେତା କହିଛନ୍ତି ।