ଟି-୨୦ ବିଶ୍ୱକପ୍ : ଭାରତୀୟ ଦଳରେ ପରିବର୍ତ୍ତନ, ଅକ୍ଷର ପଟେଲଙ୍କ ସ୍ଥାନ ନେଲେ ସାର୍ଦ୍ଦୁଲ ଠାକୁର

ନୂଆଦିଲ୍ଲୀ ୧୩/୧୦: (ସଂକେତ ଟିଭି) ଟି-୨୦ ବିଶ୍ଵ କପ୍ ପାଇଁ ଘୋଷିତ ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ସ୍ପିନ ଅଲରାଉଣ୍ଡର ଅକ୍ଷର ପଟେଲ୍‌ଙ୍କ ସ୍ଥାନରେ ଦ୍ରୁତ ବୋଲିଂ ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁରଙ୍କୁ ଦଳରେ ସାମିଲ୍ କରାଯାଇଛି। ଦମଦାର ଫର୍ମରେ ଥିବା ଶାର୍ଦ୍ଦୁଳଙ୍କ ୧୫ ଜଣିଆ ଭାରତୀୟ ଦଳରେ ସ୍ଥାନ ମିଳିଛି। ଅନ୍ୟପଟେ ଅକ୍ଷରଙ୍କୁ ରିଜର୍ଭ ଖେଳାଳି ଭାବେ ଦଳରେ ରଖାଯାଇଛି।

ବୁଧବାର ଏନେଇ ବିସିସିଆଇ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ବିସିସିଆଇ ପକ୍ଷରୁ କୁହାଯାଇଛି ଯେ, ସିନିୟର ସିଲେକ୍ସନ କମିଟି ସହିତ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି ।

କୁହାଯାଉଛି ଦଳରେ ଏହି ପରିବର୍ତ୍ତନ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫିଟନେସ୍‌କୁ ଦୃଷ୍ଟିରେ ରଖି ନିଆଯାଇଛି। କାରଣ ସେ ସଂପୂର୍ଣ୍ଣ ଫିଟ୍ ନାହାନ୍ତି। ଆଇପିଏଲ ୨୦୨୧ରେ ହାର୍ଦ୍ଦିକ ବୋଲିଂ ମଧ୍ୟ କରି ନାହାନ୍ତି। ତେଣୁ ଦ୍ରୁତ ବୋଲିଂ କରିବା ସହ ଆକ୍ରମଣାତ୍ମକ ବ୍ୟାଟିଂ କରୁଥିବା ଶାର୍ଦ୍ଦୁଳଙ୍କୁ ଦଳରେ ସାମିଲ୍ କରାଯାଇଛି।

କିଛି ଦିନ ତଳେ ବିଶ୍ୱକପ୍ ପାଇଁ ୧୫ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଥିଲା । ଏଥି ସହିତ ୩ ଜଣ ଷ୍ଟାଣ୍ଡବାଏ ଖେଳାଳିଙ୍କ ନାମ ମଧ୍ୟ ଘୋଷଣା କରାଯାଇଥିଲା । ଏହି ଷ୍ଟାଣ୍ଡବାଏ ଖେଳାଳି ତାଲିକାରେ ଶ୍ରେୟାସ ଆୟାର, ଦୀପକ ଚହରଙ୍କ ସହିତ ସାର୍ଦ୍ଦୁଲ ଠାକୁର ସ୍ଥାନ ପାଇଥିଲେ । ଆଉ ଏବେ ଅକ୍ଷର ପଟେଲଙ୍କ ସ୍ଥାନରେ ସାର୍ଦ୍ଦୁଲ ଠାକୁର ଦଳକୁ ଫେରିଥିବାରୁ ଷ୍ଟାଣ୍ଡବାଏ ଖେଳାଳି ତାଲିକାରେ ଅକ୍ଷର ପଟେଲ ସାମିଲ ହୋଇଛନ୍ତି ।

ଭାରତୀୟ ବିଶ୍ଵ କପ୍ ଦଳ:
ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା(ଉପ ଅଧିନାୟକ), କେଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ(ଓ୍ଵିକେଟ୍ କିପର), ଇଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ରାହୁଲ ଚହର, ଆର ଅଶ୍ଵିନ, ଶାର୍ଦ୍ଦୁଳ ଠାକୁର, ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ ବୁମରା, ଭୁବନେଶ୍ଵର କୁମାର, ମହମ୍ମଦ ଶାମି।

ଷ୍ଟାଣ୍ଡ ବାଏ ଖେଳାଳି: ଶ୍ରେୟସ୍ ଆୟର, ଦୀପକ ଚହର, ଅକ୍ଷର ପଟେଲ

ଭାରତୀୟ ଦଳକୁ ସାହାଯ୍ୟ କରିବା ପାଇଁ ୟୁଏଇରେ ରହିବେ ଏହି ଖେଳାଳି : ଅଭେଶ ଖାନ, ଉମରାନ ମଲିକ, ହର୍ଷଲ ପଟେଲ୍, ଲୁକମାନ ମେରିଓ୍ଵାଲା, ଭେଙ୍କଟେଶ ଆୟର, କର୍ଣ୍ଣ ଶର୍ମା, ଶାହବାଜ ଅହମ୍ମଦ ଓ କୃଷ୍ଣପ୍ପା ଗୌତମ।