ମନୀଷ ଅନୁରାଗଙ୍କ ମୃତ୍ୟୁ ମାମଲା : ଫୁଲବାଣୀରେ ଆତ୍ମସମର୍ପଣ କଲେ ଦୁଇ ଯୁବକ

ଭୂବନେଶ୍ବର ୧୩/୧୦: (ସଂକେତ ଟିଭି) ମନୀଷ ଅନୁରାଗଙ୍କ ମୃତ୍ୟୁ ମାମଲାର ଦୁଇ ଜଣ ଯୁବକ ଫୁଲବାଣୀ ଟାଉନ୍ ଥାନାରେ ଆତ୍ମସମର୍ପଣ କରିଛନ୍ତି । ଦୁଇ ଯୁବକ ହେଲେ ଲିଟୁ ଓରଫ ଦୀନେଶ ମହାପାତ୍ର ଓ ମୁନା ଓରଫ ମୃତ୍ୟୁଞ୍ଜୟ । ମୃତ୍ୟୁ ପୂର୍ବରୁ ଏହି ଦୁଇ ଜଣ ମନୀଷଙ୍କ ସହ ହୋଟେଲରେ ଥିଲେ । ସନ୍ଦେହରେ ପୋଲିସ ଉଭୟ ଲିଟୁ ଓ ମୁନ୍ନାଙ୍କୁ ଖୋଜୁଥିଲା । ଏ ସମ୍ପର୍କରେ ଜାଣିବା ପରେ ସେମାନଙ୍କୁ ଜେରା କରିବା ପାଇଁ ଫୁଲବାଣୀରେ ପହଞ୍ଚିଛନ୍ତି ଭୁବନେଶ୍ୱର ଇନଫୋସିଟି ଥାନା ପୋଲିସ। ସେମାନଙ୍କୁ ସେଠାରେ ପଚରା ଉଚରା କରିଛନ୍ତି।

ଉଭୟଙ୍କୁ ଭୁବନେଶ୍ବର ଆଣି ପୋଲିସ ଅଧିକ ପଚରାଉଚରା କରିବ । ଲିଟୁ ଓ ମୁନ୍ନାଙ୍କୁ ଘଟଣା ଦିନ ଫେରାର କରିବା ଅଭିଯୋଗରେ ହିମାଂଶୁ ନାମକ ଜଣେ ଯୁବକ ଅଟକ ଅଛନ୍ତି । ମୋଟ୍ ୪ ଜଣଙ୍କୁ ଅଟକ ରଖି ପୋଲିସ ମନୀଷ ମୃତ୍ୟୁ ମିଷ୍ଟ୍ରି ଖୋଜିବାରେ ଲାଗିଛି ।

ମଙ୍ଗଳବାର ମନୀଷ ଅନୁରାଗ ମୃତ୍ୟୁ ମାମଲାର ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ ଆସିଥିଲା । ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟରେ ଶ୍ବାସରୁଦ୍ଧ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ଦର୍ଶାଯାଇଥିଲା । ତେବେ ମନୀଷଙ୍କୁ ଅପହରଣ କରାଯାଇଥିବା ନେଇ ପୋଲିସ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରମାଣ ପାଇନାହିଁ ।

ଗତ ୯ ତାରିଖରେ ମନୀଷଙ୍କୁ ଅପରହଣ କରାଯାଇଥିବା ଅଭିଯୋଗ ହୋଇଥିଲା। ତା’ପର ଦିନ ଅର୍ଥାତ ୧୦ ତାରିଖରେ ମନୀଷଙ୍କ ମୃତଦେହ ପୋଖରୀରୁ ଉଦ୍ଧାର ହୋଇଥିଲା। ତାଙ୍କୁ ହତ୍ୟା କରାଯାଇ ପୋଖରୀରେ ଫିଙ୍ଗି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଏହା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଏହା ଏକ ହତ୍ୟାକାଣ୍ଡ କିମ୍ବା ଏହା ପଛରେ ଆଉ କଣ କାରଣ ରହିଛି ତାହା ଫାଇନାଲ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ ଜଣାପଡିବ । ଘଟଣାରେ ୩ଟି ଦିଗକୁ ନେଇ ପୋଲିସ ତଦନ୍ତ କରୁଛି । ପୋଷ୍ଟମର୍ଟମ ପ୍ରାଥମିକ ରିପୋର୍ଟରୁ ଶ୍ବାସରୁଦ୍ଧ ଯୋଗୁଁ ମୃତ୍ୟୁ ଘଟିଥିବା ଡାକ୍ତର କହିଥିଲେ ।

ସେପଟେ ଗତକାଲି ମନୀଷଙ୍କ ମୃତ୍ୟୁ ପୂର୍ବର ଶେଷ ଫଟୋ ସାମ୍ନାକୁ ଆସିଥିଲା । ପାତ୍ରପଡ଼ା ସାଉଥ୍‌ ସିଟି ବାର ନିକଟ ରାସ୍ତାରେ ଚାଲି ଯାଉଥିବାର ସିସିଟିଭି ଫଟୋ ଆସିଥିଲା । ହୋଟେଲ୍‌ରୁ ବାହାରି ମନୀଷ ସାଙ୍ଗଙ୍କ କାର ନିକଟକୁ ଯାଉଥିବା ବେଳର ଏହି ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା । ହୋଟେଲ୍‌ରୁ ବାହାରିବା ପରେ ମନୀଷ କୁଆଡ଼େ ଯାଇଥିଲେ ? କେମିତି ହୋଇଥିଲା ମୃତ୍ୟୁ ? ପୋଖରୀ ପାଖକୁ କେମିତି ଗଲେ ମନୀଷ ? ମୃତ୍ୟୁ ପଛରେ ରହିଛି କି ସାଙ୍ଗଙ୍କ ଲିଙ୍କ ? ଶେଷ ଫଟୋରୁ ମନୀଷ ମୃତ୍ୟୁର ସୁରାକ୍‌ ଖୋଜୁଛି ପୋଲିସ ।