କମିବ ଖାଇବା ତେଲ ଦର, ପାର୍ବଣରେ ସାଧାରଣଙ୍କୁ ମିଳିବ ଆଶ୍ବସ୍ତି

ନୂଆଦିଲ୍ଲୀ, ୧୪/୧୦: (ସଂକେତ ଟିଭି) ହୁ ହୁ ହୋଇ ବଢିଚାଲିଥିବା ଖାଇବା ତୈଳଦର ବୃଦ୍ଧି ଉପରେ ଲଗାମ ଲଗାଇବାକୁ କେନ୍ଦ୍ର ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ସରକାର ଖାଇବା ତେଲ ଉପରୁ ବେସ୍‌ ଇମ୍ପୋର୍ଟ ଡ୍ୟୁଟି ହ୍ରାସ କରିଛନ୍ତି । ଫଳରେ ସୂର୍ଯ୍ୟମୁଖୀ ତେଳ, ସୋୟା ତେଲ ଓ ପାମୋଲିନ ତେଲ ଉପରୁ ଆମଦାନୀ ଶୁଳ୍କ ହ୍ରାସ ପାଇଛି ।

କେନ୍ଦ୍ର ସରକ‌ାର ଅଶୋଧିତ ପାମ୍, ସୋୟାବିନ ଓ ସୂର୍ଯ୍ୟମୁଖୀ ତେଲ ଉପରୁ ସୀମା ଶୁଳ୍କକୁ ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ହ୍ରାସ କରିଛନ୍ତି। ପାର୍ବଣ ଋତୁରେ ଖାଇବା ‌ତେଲ ଦରବୃଦ୍ଧିରେ ଲଗାମ ଲଗାଇବା ଓ ଦେଶରେ ତେଲର ଉପଲବ୍ଧତା ବଢ଼ାଇବା ପାଇଁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ଅକ୍ଟୋବର ୧୪ରୁ ଏହି ନିଷ୍ପତ୍ତି ଲାଗୁ ହୋଇଥିବା କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ଓ ସୀମା ଶୁଳ୍କ ବୋର୍ଡ (ସିବିଆଇସି) ବିଜ୍ଞପ୍ତିରୁ ଜଣାପଡ଼ିଛି ।

ସିବିଆଇସି ବିଜ୍ଞପ୍ତି ଅନୁଯାୟୀ, ଅଶୋଧିତ ପାମ ତେଲ ଉପରେ ଲଗାଯାଇଥିବା କୃଷି ସେସ୍ ୭.୫%କୁ ହ୍ରାସ କରାଯାଇଛି । ସେହିପରି ସୋୟା ଓ ସୂର୍ଯ୍ୟମୁଖୀ ତେଲ ପାଇଁ ଏହି ସେସ୍‌ ହାର ୫% ରଖାଯାଇଛି। ସେସ୍‌ ହ୍ରାସ ଯୋଗୁଁ ପାମ ତେଲ ଉପରେ ସୀମା ଶୁଳ୍କ ହାର ୮.୨୫%କୁ ହ୍ରାସ ପାଇଥିବା ବେଳେ ସୋୟାବିନ ଓ ସୂର୍ଯ୍ୟମୁଖୀ ତେଲର ସୀମାଶୁଳ୍କ ୫.୫ ପ୍ରତିଶତକୁ ହ୍ରାସ ପାଇଛି। ବିଶୋଧିତ ସୂର୍ଯ୍ୟମୁଖୀ, ସୋୟା, ପାମୋଲିନ ଉପରୁ ବେସ୍‌ ସୀମା ଶୁଳ୍କକୁ ୩୨.୫% ରୁ ୧୭.୫%କୁ ହ୍ରାସ କରାଯାଇଛି।ସେପଟେ ଅଗଷ୍ଟ ମାସ ତୁଳନାରେ ସେପ୍ଟେମ୍ବର ମାସରେ ଖୁଚୁରା ମୁଦ୍ରାସ୍ପୀତିରେ ବୃହତ ହ୍ରାସ ପରିଲକ୍ଷିତ ହୋଇଛି । ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ପୀତି ରହିଛି 4.45 ପ୍ରତିଶତ । ଅଗଷ୍ଟରେ ଏହା ୫.୩ ପ୍ରତିଶତ ରହିଥିଲା । ଦୀର୍ଘ ୫ ମାସ ମଧ୍ୟରେ ଖୁଚୁରା ମୁଦ୍ରାସ୍ପୀତିରେ ରେକର୍ଡ ହ୍ରାସ ଦେଖିବାକୁ ମିଳିଛି ।