ୱେଷ୍ଟଇଣ୍ଡିଜ ବିଶ୍ୱକପ୍ ଦଳରେ ସାମିଲ ହୋଇ ପାରିବେ ନାହିଁ ସୁନିଲ ନାରିନେ : ପୋଲାର୍ଡ

ଦୁବାଇ ୧୪/୧୦: (ସଂକେତ ଟିଭି) ୱେଷ୍ଟଇଣ୍ଡିଜ ଟି-୨୦ କ୍ରିକେଟ ଦଳ ଅଧିନାୟକ କିରନ ପୋଲାର୍ଡ କହିଛନ୍ତି ଯେ ଅଲରାଉଣ୍ଡର ସୁନିଲ ନାରିନେ ବିଶ୍ୱକପ ଦଳରେ ସାମିଲ ହେବା ସମ୍ଭାବନା ନାହିଁ । କାରଣ ଆଗାମୀ ଟି-୨୦ ବିଶ୍ୱକପ ପାଇଁ ୧୫ ଜଣିଆ ଦଳ ଚୂଡାନ୍ତ ହୋଇ ସାରିଛି । ତେଣୁ ଆଉ ଅଧିକ ଖେଳାଳିଙ୍କୁ ନେବା ପାଇଁ କୌଣସି ଯୋଜନା ନାହିଁ ।

ଚଳିତ ଆଇପିଏଲର ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ଏଲିମିନେଟର ମ୍ୟାଚରେ ନାରିନେ ୪ ୱିକେଟ ଅକ୍ତିଆର କରି କୋଲକାତା ନାଇଟ ରାଇଡର୍ସର ବିଜୟ ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ହେଁ ବିଶ୍ୱକପ ଦଳରେ ସାମିଲ ହେବା ସୁଯୋଗ ନାହିଁ । କାରଣ ଟି-୨୦ ବିଶ୍ୱକପ ପାଇଁ ଗଠିତ ୧୫ ଜଣିଆ ଦଳର ସବୁ ଖେଳାଳି ଠିକ ଅଛନ୍ତି । କେବଳ ଅଲରାଉଣ୍ଡର ଆେନ୍ଦ୍ରେ ରସେଲଙ୍କ ଆହତ ଜନିତ ସମସ୍ୟା ନେଇ ଆମେ ଚିନ୍ତିତ । ତେବେ ବିଶ୍ୱକପ ଆରମ୍ଭ ବେଳକୁ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଯାଇଥିବେ ବୋଲି ଅନୁମାନ । ତେଣୁ ଆଉ ଅଧିକ ଖେଳାଳିଙ୍କୁ ଦଳରେ ନିଆଯିବ ନାହିଁ ।

ବର୍ତ୍ତମାନ ଯେଉଁ ଖେଳାଳିଙ୍କୁ ନେଇ ଦଳ ଚୟନ କରା ଯାଇଛି,ସେମାନଙ୍କ ଉପରେ ପୂରା ଭରସା ରହିଛି । ଏପରିକି ଆମର ଯୋଜନା ମୂତାବକ ସମସ୍ତେ ଭଲ ପ୍ରସର୍ଶନ କଲେ ୱେଷ୍ଟଇଣ୍ଡିଜ ପୁଣି ଟାଇଟଲ ହାସଲ କରି ପାରିବ ବୋଲି ପୋଲାର୍ଡ କହିଛନ୍ତି । ଅବଶ୍ୟ ନାରିନେ ହେଉଛନ୍ତି ମୋର ଜଣେ ଭଲ ବନ୍ଧୁ । ସେ ମଧ୍ୟ ଜଣେ ବିଶ୍ୱ ସ୍ତରୀୟ ଖେଳାଳି । ମାତ୍ର ବିଶ୍ୱକପ ଦଳରେ ସେ ସାମିଲ ହେବା ନେଇ ମୋର କୌଣସି ଭୂମିକା ନାହିଁ ବୋଲି ପୋଲାର୍ଡ ସୂଚନା ଦେଇଛନ୍ତି ।