କାନ୍ଦାହାର ସିଆ ମସ୍‌ଜିଦରେ ଭୟଙ୍କର ବିସ୍ଫୋରଣ, ୩୦ ମୃତ, ୪୦ରୁ ଉର୍ଦ୍ଧ୍ବ ଆହତ

କାବୁଲ ୧୫/୧୦: (ସଂକେତ ଟିଭି) ଆଫଗାନିସ୍ତାନର କାନ୍ଦାହାରରେ ଥିବା ଏକ ସିୟା ମସଜିଦରେ ଶୁକ୍ରବାର ଦ୍ୱିପ୍ରହରରେ ଭୟଙ୍କର ବିସ୍ଫୋରଣ। ଏଥିରେ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି ।

ସୂଚନା ଅନୁସାରେ, ଆଜି ଶୁକ୍ରବାର ଜୁମେ ନମାଜ୍‌ ପାଇଁ ଶହ ଶହ ଲୋକ ଏକାଠି ହୋଇ ନମାଜ ପାଠ କରୁଥିଲେ । ଏହି ସମୟରେ ବିଷ୍ପୋରଣ ଘଟିଥିଲା । ଗୃହ ମନ୍ତ୍ରାଳୟ ପ୍ରବକ୍ତା ସୟଦ କୋସ୍ତୀ କହିଛନ୍ତି, ଡଜନେ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ତାଲିବାନର ସ୍ବତନ୍ତ୍ର ଫୋର୍ସ ଘଟଣାସ୍ଥଳରେ ପହଞ୍ଚିସାରିଛି। ଆମେ ଯାଞ୍ଚ କରୁଛୁ ପ୍ରକୃତରେ ଏହି ବ୍ଲାଷ୍ଟ କେମିତି ହୋଇଛି ।

ଟୋଲୋ ନ୍ୟୁଜର ସୂଚନା ଅନୁଯାୟୀ ଏହି ଘଟଣା ପାଇଁ କୌଣସି ଆତଙ୍କବାଦୀ ସଙ୍ଗଠନ ଏପର୍ଯ୍ୟନ୍ତ ନିଜକୁ ଦାୟୀ କରି ନାହାନ୍ତି । କାନ୍ଦାହାର ଘଟଣା ଏଥିପାଇଁ ସମସ୍ତଙ୍କୁ ଚକିତ କରୁଛି କାରଣ ଏହା ତାଲିବାନର ଗଡ । ଆତଙ୍କବାଦୀ ସଙ୍ଗଠନ ଆଇଏସ୍ ସିୟା ମୁସଲିମଙ୍କୁ ସବୁବେଳେ ଟାର୍ଗେଟ କରୁଛି । କାରଣ ଆଇଏସ୍ କୁହେ ସିୟା ମୁସଲିମ ବିଶ୍ୱାସଘାତକ । ତେଣୁ ଆଇଏସ୍ ସୁନ୍ନି ମୁସଲିମଙ୍କୁ ସମର୍ଥନ କରିଥାଏ ।

ଜୁମେ ନମାଜ ସମୟରେ ମସଜିଦକୁ ଲାଗତାର ଦ୍ୱିତୀୟ ସପ୍ତାହରେ ବି ଟାର୍ଗେଟ କରାଯାଇଛି । ଗତ ସପ୍ତାହରେ କୁନ୍ଦୁଜ ଅଞ୍ଚଳରେ ଥିବା ମସଜିଦରେ ଏହିଭଳି ବିସ୍ଫୋରଣ କରାଯାଇଥିଲା । ଏହି ବିସ୍ଫୋରଣରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା।

ତେବେ ଏହି ବିଷ୍ପୋରଣ ପାଇଁ ଇସ୍ଲାମିକ୍‌ ଷ୍ଟେଟ୍‌ ଖୁରାସାନ୍‌ (ଆଇଏସ୍‌-କେ) ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଥିଲା। ଆତ୍ମଘାତୀ ବିସ୍ଫୋରଣ କରାଇଥିବା ଅଭିଯୁକ୍ତ ଜଣେ ଉଇଗର ମୁସଲମାନ ଥିଲା। ଏଥିରେ ଉଭୟ ସିଆ ଏବଂ ତାଲିବାନୀଙ୍କୁ ଟାର୍ଗେଟ କରାଯାଇଥିଲା। ଯେଉଁମାନେ ଉଇଗର ମୁସଲମାନଙ୍କ ଦାବି ପୂର୍ଣ୍ଣ କରିବାରେ ବାଧା ଦେଉଛନ୍ତି ବୋଲି ଆଇଏସ୍‌ ପକ୍ଷରୁ କୁହାଯାଇଥିଲା ।