କେକେଆରକୁ ହରାଇ ଚତୁର୍ଥ ଥର ପାଇଁ ଆଇପିଏଲ୍ ଟ୍ରଫି ଜିତିଲା ଚେନ୍ନାଇ ସୁପରକିଙ୍ଗ୍ସ

ଦୁବାଇ ୧୫/୧୦: (ସଂକେତ ଟିଭି) ଚେନ୍ନାଇ ସୁପରକିଙ୍ଗସ ଚତୁର୍ଥ ଥର ପାଇଁ ଆଇପିଏଲ ଚାମ୍ପିଆନ ହୋଇଛି । କୋଲକାତା ନାଇଟ ରାଇଡର୍ସକୁ ୨୭ ରନରେ ହରାଇ ଆଇପିଏଲ ଟ୍ରଫିକୁ ଅକ୍ତିଆର କରିଛି ଚେନ୍ନାଇ ।

ଆଜି ଦୁବାଇର ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ୍‌ ମୁକାବିଲାରେ ଚେନ୍ନାଇ କୋଲକାତାଙ୍କୁ ୨୭ ରନରେ ପରାସ୍ତ କରି ଆଇପିଏଲ ୨୦୨୧ ଚାମ୍ପିଅନ ହୋଇଛି। ଏଥିସହ ଧୋନୀଙ୍କ ନେତୃତ୍ଵରେ ଚେନ୍ନାଇ ଚତୁର୍ଥ ଟାଇଟଲ୍ ଜିତିବାରେ ସଫଳ ହୋଇଛି। ଏହା ପୂର୍ବରୁ ଦଳ ଶେଷ ଥର ୨୦୧୮ରେ ସନରାଇଜର୍ସ ହାଇଦ୍ରାବାଦକୁ ୮ ଓ୍ଵିକେଟ୍‌ରେ ହରାଇ ତୃତୀୟ ଥର ଆଇପିଏଲ ବିଜେତା ହୋଇଥିଲା। ଅନ୍ୟପଟେ ତୃତୀୟ ଥର ଫାପଇନାଲ୍‌ ପହଞ୍ଚିଥିବା କୋଲକାତାର ତୃତୀୟ ଆଇପିଏଲ ଟାଇଟଲ୍ ଜିତିବା ସ୍ଵପ୍ନ ଧୂଳିସାତ ହୋଇଛି। ଚେନ୍ନାଇ ପୂର୍ବରୁ ୨୦୧୦, ୨୦୧୧ ଆଇପିଏଲରେ ଟାଇଟଲ୍ ହାସଲ କରିଥିଲା।

ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସୁପରକିଙ୍ଗ୍ସ ଫାଫ ଡୁପ୍ଲେସିସ୍‌ଙ୍କ ୮୬ ରନ ବଳରେ ନିର୍ଦ୍ଧାରିତ ଓଭରରେ ୩ ଓ୍ଵିକେଟ୍ ହରାଇ ୧୯୨ ରନ କରିଥିଲା। ଅନ୍ୟମାନଙ୍କ ମଧ୍ୟରେ ଋତୁରାଜ ଗାଏକଓ୍ଵାଡ ୩୨, ରବିନ ଉଥପ୍ପା ୩୧ ଏବଂ ମୋଇନ ଅଲ୍ଲୀ ଅପରାଜିତ ୩୭ ରନ କରିଥିଲେ। ଏହାର ଜବାବରେ କୋଲକାତା ଦୁଇ ଓପନର ଶୁଭମାନ ଗିଲ୍‌(୫୧) ଓ ଭେଙ୍କଟେଶ ଆୟର(୫୦)ଙ୍କ ଅର୍ଦ୍ଧଶତକ ସତ୍ତ୍ଵେ ଶୋଚନୀୟ ପରାଜୟ ଭୋଗିଛି। ଏକଦା ୧୦.୪ ଓଭରରେ ୯୧ ରନ କରିଥିବା କୋଲକାତା ଓପନରଙ୍କ ଆଉଟ୍ ପରେ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୧୬୫ ରନ କରିବାକୁ ସକ୍ଷମ ହୋଇଛି।