ଲଖିମପୁର ଖେରି ଘଟଣାରୁ ଧ୍ଯାନ ହଟାଇବା ପାଇଁ ରଚାଯାଇଛି ଆର୍ଯ୍ୟନ ଖାଁ ଡ୍ରଗ୍ସ ମାମଲା : କପିଲ ସିବଲ

ନୂଆଦିଲ୍ଲୀ ୧୫/୧୦: (ସଂକେତ ଟିଭି) କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ ଶୁକ୍ରବାର କେନ୍ଦ୍ର ସରକାରଙ୍କ କଟାକ୍ଷ କରିଛନ୍ତି। ସେ ଏକ ଟୁଇଟ୍ କରି କେନ୍ଦ୍ର ସରକାରଙ୍କୁ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ଆର୍ୟନ ଖାନ ଡ୍ରଗ୍ସ ମାମଲା ଜରିଆରେ ଲକ୍ଷ୍ମୀପୁର ଖିରି କାଣ୍ଡରୁ ଲୋକଙ୍କ ଧ୍ୟାନ ହଟାଯାଇଛି। ଆର୍ୟନ ଖାନ ମାମଲାକୁ ପ୍ରାଥମିକତା ଦିଆଯାଇ ଆଶିଷ ମିଶ୍ର ମାମଲା ଉପରୁ ଲୋକଙ୍କ ଧ୍ୟାନ ହଟାଯିବା ଯୋଜନା ସଫଳ ହୋଇଛି। ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ମାମଲାରେ ‘ନିର୍ଦ୍ଦୋଷ ସାବ୍ୟସ୍ତ ନହେବା ପର୍ଯ୍ୟନ୍ତ ଦୋଷୀ’ ଟେମ୍ପଲେଟ୍ ଲାଗୁ କରାଯାଉଛି ବୋଲି ସେ ଲେଖିଛନ୍ତି।

କପିଲ୍ ସିବଲ ଟ୍ଵିଟ୍ କରି କହିଛନ୍ତି, ଆର୍ୟନ ଖାନ ମାମଲାରେ ଏନସିବି ଯାଞ୍ଚରେ ଆଇନର ନୂତନ ପ୍ରଣାଳୀ ସାମ୍ନାକୁ ଆସିଛି। ଡ୍ରଗ୍ସ ବ୍ୟବହାର କିମ୍ବା ପାଖରେ ଥିବାର କୌଣସି ପ୍ରମାଣ ମିଳିନାହିଁ। ତଥାପି ନିର୍ଦ୍ଦୋଷ ଥିବା ସତ୍ତ୍ଵେ ତାଙ୍କୁ ଦୋଷୀ କୁହାଯାଉଛି। ଏହି ପରି ଲକ୍ଷ୍ମୀପୁର ଖିରୀରେ ଆଶିଷ ମିଶ୍ର ମାମଲା ସଫଳତାପୂର୍ବକ ଲୋକଙ୍କ ଧ୍ୟାନରୁ ହଟାଇ ଦିଆଯାଇଛି।

ସୂଚନାଯୋଗ୍ୟ, ଅକ୍ଟୋବର ୩ରେ ଉତ୍ତର ପ୍ରଦେଶ ଲଖିମପୁର ଖେରିରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଆନ୍ଦୋଳନରତ କୃଷକଙ୍କ ଉପରେ ଗାଡି ଚଢାଇ ଦେବାରୁ ୪ କୃଷକଙ୍କ ସମେତ ୮ ଜଣଙ୍କର ମୃତ୍ୟୁ ହୋଇଥିଲା । ଏପଟେ ମୁମ୍ବାଇରୁ ଗୋଆ ଯାଉଥିବା ଏକ ସିପରେ ଚାଲିଥିବା ଡ୍ରଗ୍ସ ପାର୍ଟିରେ ସାମିଲ ଥିବା ବଲିଉଡ କଳାକାର ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଖାଁଙ୍କୁ ଡ୍ରଗ୍ସ ବ୍ୟବହାର କରିବା ଅଭିଯୋଗରେ ଗିରଫ କରାଯାଇଥିଲା । ହେଲେ ନାର୍କୋଟିକ୍ସ ବ୍ୟୁରୋ ଇନଭେଷ୍ଟିଗେଶନ ଆର୍ଯ୍ୟନ ଡ୍ରଗ୍ସ ରଖିବା ବା ବ୍ୟବହାର କରିବାର କୌଣସି ପ୍ରମାଣ ପାଇ ନ ଥିବା ବେଳେ କେନ୍ଦ୍ର ସରକାର କିନ୍ତୁ ସାଧାରଣ ଜନତାଙ୍କ ନଜରରୁ ସଫଳତାପୂର୍ଣ୍ଣ ଲଖିମପୁର ଖେରି ଘଟଣାକୁ ଏଡାଇ ଦେଇଛନ୍ତି ବୋଲି ସିବଲ ଅଭିଯୋଗ କରିଛନ୍ତି ।

ସେପଟେ ଆର୍ୟନଙ୍କୁ ଆଉ କିଛି ଦିନ ପର୍ଯ୍ୟନ୍ତ ଜେଲ୍‌ରେ ରହିବାକୁ ପଡିବ। କାରଣ କୋର୍ଟ ଗୁରୁବାର ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଅକ୍ଟୋବର ୨୦ ପର୍ଯ୍ୟନ୍ତ ମାମଲାର ଶୁଣାଣି ସ୍ଥଗିତ ରଖିଛନ୍ତି।