ବାତିଲ କରାଯାଉ ଟି- ୨୦ ବିଶ୍ବକପ ଭାରତ ପାକିସ୍ଥାନ ମ୍ଯାଚ୍ : କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ

ନୂଆଦିଲ୍ଲୀ ୧୭/୧୦: (ସଂକେତ ଟିଭି) ଟି ୨୦ ବିଶ୍ବକପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ବାତିଲ କରାଯିବା ଉଚିତ୍ । ଏହି ଭଳି ଏକ ବୟାନ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ।

ଜାମ୍ମୁ କାଶ୍ମୀରରେ ଗତ କିଛିଦିନ ହେଲା ଲଗାତାର ଭାବେ ଆତଙ୍କବାଦୀ ଆକ୍ରମଣ କରାଯାଉଛି । ଫଳରେ ୯ଜଣ ଭାରତୀୟ ସେନା ସହିଦ ହୋଇସାରିଲେଣି । ଆତଙ୍କିମାନେ ଏବେ ଜାମ୍ମୁ କାଶ୍ମୀରରେ ସାଧାରଣ ଜନତାଙ୍କୁ ଟାର୍ଗେଟ୍‌ କରୁଛନ୍ତି । ଏଭଳି ପରିସ୍ଥିତିରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ହେବା ଉଚିତ୍ ନୁହେଁ। ଏହାର ପୁନର୍ବିଚାର କରାଯିବା ଆବଶ୍ୟକ ବୋଲି ଗିରିରାଜ କହିଛନ୍ତି । ସେ ଆଜି ଯୋଧପୁରରେ ପହଞ୍ଚି କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱାତଙ୍କ ଘରେ ସମବେଦନା ବୈଠକରେ ଯୋଗ ଦେଇ ଏହା କହିଛନ୍ତି ।

ଗିରିରାଜ୍‌ କହିଛନ୍ତି, ‘ଯଦି ୨ ଦେଶ ମଧ୍ୟରେ ସମ୍ପର୍କ ଠିକ୍‌ ନାହିଁ ତେବେ ଏ ବାବଦରେ ବିଚାର ବିମର୍ଷ କରାଯିବା ଉଚିତ । ପାକିସ୍ତାନର ଆତଙ୍କବାଦୀ ଚେହେରା ସାରା ବିଶ୍ବ ସାମ୍ନାକୁ ଆସିସାରିଛି । ଏହାର ପରିଣାମ ମଧ୍ୟ ପାକିସ୍ତାନକୁ ଭୋଗିବାକୁ ପଡିବ ।’

କେବଳ ଗିରିରାଜ ସିଂହ ନୁହେଁ, ପଞ୍ଜାବ ସରକାରରେ ମନ୍ତ୍ରୀ ଥିବା ପରଗଡ ସିଂହ ମଧ୍ୟ ଏ ନେଇ ମତ ଦେଇଛନ୍ତି । ସେ କହିଛନ୍ତି, ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ହେବା ଉଚିତ ନୁହେଁ କାରଣ ସୀମା​‌ରେ ସ୍ଥିତି ଠିକ୍‌ ନାହିଁ । ଉଭୟଙ୍କ ମଧ୍ୟରେ ଟକରାଟକରି ଜାରିରହିଛି । ତେଣୁ ଉଭୟ ଦେଶ ଶାନ୍ତି ବଜାୟ ରଖିବା ଦିଗରେ କାର୍ଯ୍ୟ କରିବା ଉଚିତ । ଆମେ ଅସ୍ତ୍ରଶସ୍ତ୍ରରେ ପ୍ରଚୁର ଟଙ୍କା ଖର୍ଚ୍ଚ କରୁଛେ ଯେଉଁଥିପାଇଁ ଆମେ ଆମ ପିଲାମାନଙ୍କୁ ଭଲ ଶିକ୍ଷା ଦେଇପାରିବା ନାହିଁ । ସେ କହିଛନ୍ତି ପାକିସ୍ତାନ ଆମ ପଡୋଶୀ ତେଣୁ ତାକୁ ପଡୋଶୀ ଭଳି ବ୍ୟବହାର କରାଯିବା ଉଚିତ ।