ବାବା ରାମ ରହିମଙ୍କୁ ଆଜୀବନ କାରାଦଣ୍ଡ ଦେଲେ ସିବିଆଇ ସ୍ବତନ୍ତ୍ର କୋର୍ଟ

ନୂଆଦିଲ୍ଲୀ ୧୮/୧୦: (ସଂକେତ ଟିଭି) ଡେରା ସଚ୍ଚା ସୌଦାର ମୁଖ୍ଯ ବାବା ଗୁରମିତ ରାମ ରହିମଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ବହୁ ଚର୍ଚ୍ଚିତ ପୂର୍ବତନ ଡେରା ପ୍ରବନ୍ଧକ ରଣଜିତ ସିଂଙ୍କ ହତ୍ୟା ମାମଲାରେ ପଞ୍ଚକୁଲାର ସିବିଆଇ ସ୍ଵତନ୍ତ୍ର ଅଦାଲତ ସୋମବାର ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ବ୍ୟତୀତ ଅନ୍ୟ ଚାରି ଦୋଷୀଙ୍କୁ ବି ସମାନ ଦଣ୍ଡ ଦିଆଯାଇଛି।

୨୦୦୨ରେ ରଣଜିତ ସିଂଙ୍କ ହତ୍ୟା କରାଯାଇଥିଲା । ଏହି ହତ୍ୟା ମାମଲାରେ ଅକ୍ଟୋବର ୮ରେ କୋର୍ଟ ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ରାୟ ଶୁଣାଇବା ପୂର୍ବରୁ ହରିୟାଣାର ପଞ୍ଚକୁଲା ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡା କଡି କରାଯାଇ ୧୪୪ ଧାରା ଲାଗୁ କରାଯାଇଥିଲା।

ଏଥିସହ ଅଦାଲତ ରାମ ରହିମଙ୍କ ଉପରେ ୩୧ ଲକ୍ଷ ଟଙ୍କାର ଜୋରିମାନା ଲଗାଇଛି। ବାକି ଅନ୍ୟ ଚାରି ଦୋଷୀଙ୍କ ଉପରେ ୫୦ ହଜାର ଟଙ୍କା ଲେଖାଏଁ ଜୋରିମାନା ଲଗାଯାଇଛି। ସିବିଆଇର ସ୍ଵତନ୍ତ୍ର ଅଦାଲତଙ୍କ ଏହି ନିଷ୍ପତ୍ତି ବିରୋଧରେ ରାମ ରହିମ ହାଇକୋର୍ଟର ଦ୍ଵାରସ୍ଥ ହେବେ ବୋଲି ଜଣା ପଡିଛି।

ରଣଜିତ ସିଂହ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଡେରାମୁଖୀ ଗୁରମିତ ରାମ ରହିମ ଭିଡିଓ କନଫରେନ୍ସିଂ ଜରିଆରେ ସିବିଆଇ କୋର୍ଟରେ ହାଜର ହୋଇଥିଲେ। ଅନ୍ୟ ଚାରି ଅଭିଯୁକ୍ତ କୃଷ୍ଣ କୁମାର, ଅବତାର, ଯଶବୀର ଏବଂ ସଦବିଲଙ୍କୁ ପୋଲିସ କଡା ସୁରକ୍ଷାରେ କୋର୍ଟରେ ହାଜର କରାଇଥିଲା।