ଉତ୍ତରାଖଣ୍ଡରେ ବର୍ଷା ତାଣ୍ଡବ, ବନ୍ୟା ଓ ଭୁସ୍ଖଳନରେ ୨୩ ମୃତ

ଡେରାଡୁନ ୧୯।୧୦: (ସଂକେତ ଟିଭି) ଉତ୍ତରାଖଣ୍ଡରେ ବର୍ଷାର ତାଣ୍ଡବ । ଗତ ରବିବାରଠାରୁ ଜାରି ରହିଥିବା ଲଗାଣ ବର୍ଷା ଯୋଗୁଁ ବନ୍ୟା ବିପର୍ଯ୍ୟୟ ଓ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଛି । ଏହି କାରଣରୁ ରାଜ୍ୟରେ ମୃତ୍ୟୁସଂଖ୍ୟା ୨୩ରେ ପହଞ୍ଚିଛି ।

କେବଳ କୁମାଉଁରେ ୧୭ ଜଣଙ୍କ ମୃତ୍ୟୁ ହୋଇଛି । ସୋମବାର ପୌଡିରେ ୩, ଚମ୍ପାୱତରେ ୨ ଓ ପିଥୌରାଗଡରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ସେହପରି ନୈନିତାଲରେ ୧୩, ଅଲମୋଡାରେ ୪, ଉଦ୍ଧମସିଂହନଗରରେ ଜଣେ ଲେଖାଏଁ ନିଖୋଜ ଥିବା କୁହାଯାଉଛି । ଦେବଭୂମିରେ ୧୨୪ ବର୍ଷର ରେକର୍ଡ ଭାଙ୍ଗିଛି ବର୍ଷା । ସେପଟେ ରାଜ୍ୟରେ ଦୋକାନ, ପୋଲ ସମେତ ଭିତ୍ତିଭୂମିର ବ୍ୟାପକ କ୍ଷୟକ୍ଷତି ହୋଇଛି ।
ଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ନିଜର ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ରଦ୍ଦ କରି ବନ୍ୟା ସ୍ଥିତି ଓ ବିପନ୍ନଙ୍କ ସହାୟତା କାର୍ୟ୍ୟର ସମୀକ୍ଷା ଜାରି ରଖିଛନ୍ତି । ସେ କହିଛନ୍ତି ଯେ ସହାୟତା କାର୍ୟ୍ୟରେ ୩ଟି ସେନା ହେଲିକପ୍ଟରକୁ ନିୟୋଜିତ କରାଯାଇଛି । ଦୁଇଟି ହେଲିକପ୍ଟର ନୈନିତାଲକୁ ପଠାଯାଇଥିବାବେଳେ ଗୋଟିଏ ଗଡ଼ଓ୍ବାଲକୁ ପଠାଯାଇଛି ।

ଉତ୍ତରାଖଣ୍ଡର ପ୍ରସିଦ୍ଧ ପର୍ୟ୍ୟଟନ ନଗରୀ ନୈନିତାଲକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଭୂସ୍ଖଳନ ଯୋଗୁଁ ସହରକୁ ସଂଯୋଗ କରୁଥିବା ତିନିଟି ପ୍ରବେଶ ପଥ ବନ୍ଦ ହୋଇଯାଇଛି । ମଲ ରୋଡ ଓ ନୈନା ଦେବୀ ମନ୍ଦିର ନିକଟସ୍ଥ ରାସ୍ତା ବନ୍ୟାରେ ବୁଡ଼ିଯାଇଛି । ରାମନଗର-ରାଣୀକ୍ଷେତ ରୁଟରେ ଥିବା ଲେମନ ଟ୍ରି ରିଜୋର୍ସରେ ପ୍ରାୟ ୧୦୦ରୁ ଅଧିକ ଲୋକ ଫସି ରହିଛନ୍ତି । ଭୂସ୍ଖଳନ ଯୋଗୁଁ ଗୋଟିଏ ହଷ୍ଟେଲ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ବିପର୍ଯ୍ୟୟ ବାବଦରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଅବଗତ କରାଇଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟ ଲଗାତାର ସ୍ଥିତି ଉପରେ ନଜର କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହଙ୍କୁ ଫୋନ ଯୋଗେ କ୍ଷୟକ୍ଷତି, ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ବାବଦରେ ଅବଗତ ହୋଇଛନ୍ତି । ଏଥିସହିତ ପ୍ରଧାନମନ୍ତ୍ରୀ ରାଜ୍ୟକୁ ଆବଶ୍ୟକ ସହଯୋଗ ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି ।