ମମିତା ମେହେର ନିଖୋଜ ଘଟଣା : ସନ୍ଦିଗ୍ଧ ଗୋବିନ୍ଦ ସାହୁଙ୍କୁ ଧରାଇଦେଲେ ମିଳିବ ଏକ ଲକ୍ଷ ଟଙ୍କା

କଳାହାଣ୍ଡି ୧୯।୧୦: (ସଂକେତ ଟିଭି) କଳାହାଣ୍ଡି ଜିଲ୍ଲା କେଗାଁ ଥାନା ମହାଲିଙ୍ଗ ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାରେ ଅଟକ ଥିବା ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ଚମ୍ପଟ ମାରିଥିବା ବେଳେ ତାଙ୍କୁ ମୋଷ୍ଟ ଓ୍ବାଣ୍ଟେଡ ଦର୍ଶାଇଛି ପୋଲିସ । ତାଙ୍କୁ ଧରିବା ପାଇଁ ବଲାଙ୍ଗିର ପୋଲିସ ୨୦ ହଜାର ଟଙ୍କା ପୁରଷ୍କାର ଘୋଷଣା କରିଥିଲା । ହେଲେ ଆଜି ମହାଲିଙ୍ଗ ଷ୍ଟାଡିୟମ୍ ଖୋଳା ଯାଇ ଏକ ଗଳିତ ମୃତଦେହ ଉଦ୍ଧାର କରିବା ପରେ ପୋଲିସ ୨୦ ହଜାର ଟଙ୍କାର ପୁରସ୍କର ରାଶିକୁ ୧ଲକ୍ଷ ଟଙ୍କାକୁ ବୃଦ୍ଧି କରିଛି ।

ଗତ ୧୭ ତାରିଖ ରାତିରୁ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ପୋଲିସ ବ୍ୟାରେକରୁ ଫେରାର ଅଛନ୍ତି ଗୋବିନ୍ଦ ସାହୁ ।

ସେପଟେ ମହାଲିଙ୍ଗ୍ ଷ୍ଟାଡିୟମ୍ ରୁ ମିଳିଥିବା ଗଳିତ ମୃତଦେହଟି ନିଖୋଜ ମମିତା ମେହେରଙ୍କ ହୋଇଥିବା ସନ୍ଦେହ କରାଯାଉଛି । ତେବେ ଉଦ୍ଧାର ହୋଇଥିବା ମୃତଦେହର ଡିଏନଏ ଟେଷ୍ଟ କରାଯିବ ବୋଲି ବଲାଙ୍ଗୀର ପୋଲିସ କହିଛି । ମୃତଦେହ ଚିହ୍ନଟ ପାଇଁ ମମିତାଙ୍କ ପରିବାର ଲୋକଙ୍କୁ ଡକାଯାଇଛି । ଖେଳ ପଡିଆ ଜଗୁଆଳି ଗୁପ୍ତେ ତାଣ୍ଡି ଏବଂ ଜେସିବି ଡ୍ରାଇଭର ପୁଷ୍କର ଭୋଇଙ୍କୁ ଅଟକ ରଖିଛି ।

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ମହାଲିଙ୍ଗ ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାକୁ ଇତିମଧ୍ୟରେ ୧୧ ଦିନ ବିତିସାରିଲାଣି । ହେଲେ ଏବେ ଯାଏଁ ସ୍କୁଲ ଅଧ୍ୟକ୍ଷାଙ୍କ କୌଣସି ପତ୍ତା ମିଳୁନାହିଁ । ପୋଲିସ ସନ୍ଦେହରେ ଅନେକ ସ୍ଥାନରେ ରେଡ଼ ଜାରି ରଖିଛି । ଏହି ପ୍ରରିପେକ୍ଷୀରେ ମଙ୍ଗଳବାର ନିର୍ମାଣଧୀନ ମହାଲିଙ୍ଗ ଖେଳପଡିଆରେ ଏକ ପ୍ଲାଟୁନ‌୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ନିଖୋଜ ମମିତା ମେହେରଙ୍କ ସହ କୌଣସି ଅଘଟଣ ପରେ ଏହି ଖେଳ ପଡିଆ ମାଟି ତଳେ ପୋତି ଦେଇଥିବା ଅନୁମାନ କରାଯାଉଛି ।