ସ୍କୁଲ ଅଧ୍ୟକ୍ଷା ନିଖୋଜ ଘଟଣା : ମୋଷ୍ଟ ଓ୍ବାଣ୍ଟେଡ ଗୋବିନ୍ଦ ସାହୁ ଗିରଫ, ଆଖୁ କିଆରୀରେ ଲୁଚିଥିଲା

କଳାହାଣ୍ଡି ୧୯।୧୦: (ସଂକେତ ଟିଭି) ମୋଷ୍ଟ ଓ୍ବାଣ୍ଟେଡ ଗୋବିନ୍ଦ ସାହୁ ଗିରଫ । ସିନ୍ଦେକେଲା ଥାନା ବୁଢୀପଦର ଗାଁର ଏକ ଆଖୁ କିଆରୀରୁ ଗୋବିନ୍ଦକୁ ବଲାଙ୍ଗିର ପୋଲିସ ଗିରଫ କରିଛି । ବଲାଂଗୀର ଏସପି ଟ୍ବିଟ୍ କରି ସୂଚନା ଦେଇଛନ୍ତି । କଳାହାଣ୍ଡି ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାରେ ଗୋବିନ୍ଦ ସାହୁ ଫେରାର ଥିଲା ।

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ମହାଲିଙ୍ଗ ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାକୁ ଇତିମଧ୍ୟରେ ୧୨ ଦିନ ବିତିସାରିଲାଣି । ହେଲେ ଏବେ ଯାଏଁ ସ୍କୁଲ ଅଧ୍ୟକ୍ଷାଙ୍କ କୌଣସି ପତ୍ତା ମିଳୁନାହିଁ । ପୋଲିସ ସନ୍ଦେହରେ ଅନେକ ସ୍ଥାନରେ ରେଡ଼ ଜାରି ରଖିଛି । ଏହି ପ୍ରରିପେକ୍ଷୀରେ ମଙ୍ଗଳବାର ନିର୍ମାଣଧୀନ ମହାଲିଙ୍ଗ ଖେଳପଡିଆରେ ଏକ ପ୍ଲାଟୁନ‌୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ପୋଲିସ ଉପସ୍ଥିତିରେ ମହାଲିଙ୍ଗ ସ୍ଥିତ ସରକାରୀ ସ୍କୁଲର ନିର୍ମାଣଧୀନ ଖେଳ ପଡିଆରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସାଇଣ୍ଟିଫିକ୍ ଟିମ୍ ଯାଞ୍ଚ କରିଥିଲା । ପ୍ରାୟ ୫ ଫୁଟ ମାଟି ତଳୁ ପୋଡା ହାଡ, ରୂପା ପାଉଁଜି, ଭ୍ୟାନିଟି ବ୍ୟାଗ ଜବତ ହୋଇଛି । ସେସବୁ ମମିତାଙ୍କର ବୋଲି ପରିବାର ଲୋକ ଚିହ୍ନଟ କରିଛନ୍ତି । ଆବଶ୍ୟକ ପଡିଲେ ଜବତ ହାଡର ଡିଏନଏ ଟେଷ୍ଟ ମଧ୍ୟ କରାଯିବ ।

ସେପଟେ ୧୪ ତାରିଖ ଦିନ ପୋଲିସ ସ୍କୁଲର ପରିଚାଳନା ସଭାପତି ଗୋବିନ୍ଦ ସାହୁଙ୍କୁ ଅଟକ ରଖିଥିଲା । ହେଲେ ହଠାତ ୧୬ ତାରିଖ ଗୋବିନ୍ଦ ସାହୁ ଟିଟିଲାଗଡ ପୋଲିସ ହେପାଜତରୁ ଫେରାର ହୋଇଯାଇଥିଲା । ଫେରାର ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ମୋଷ୍ଟ ଓ୍ବାଣ୍ଟେଡ ଘୋଷଣା କରି ଲକ୍ଷେ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା । ସିନ୍ଦେକେଲା ଥାନା ବୁଢୀପଦର ଗାଁର ଏକ ଆଖୁ କିଆରୀରୁ ବଲାଙ୍ଗୀର ପୋଲିସ ଗିରଫ କରିଛି ।

ସେପଟେ ମହାଲିଙ୍ଗ ସ୍ଥିତ ଖେଳ ପଡିଆର ରାତ୍ରୀ ଜଗୁଆଳି ଗୁପ୍ତେ ତାଣ୍ଡି ୧୨ ତାରିଖ ରାତିରେ ଖେଳ ପଡିଆରେ କିଛି କାମ ହୋଇଥିବା ସୂଚନା ଦେଇଥିଲେ । ତାଙ୍କ ସୂଚନା ଆଧାରରେ ଜେସିବି ଡ୍ରାଇଭର ପୁଷ୍କର ଭୋଇଙ୍କୁ ସିନ୍ଦକେଲା ଥାନାରେ ଜେରା କରାଯାଇଥିଲା । ଜେସିବି ଡ୍ରାଇଭରଙ୍କ ବୟାନ ଆଧାରରେ ପୋଲିସ ଖେଳପଡିଆ ମାଟି ତଳୁ ମର୍ଡର ମିଷ୍ଟ୍ରିର ସନ୍ଧାନ ମିଳିଥିଲା