ମମିତା ମେହେର ହତ୍ୟା ଘଟଣା: ବଦନାମ ଭୟରେ ଯୋଜନାବଦ୍ଧ ହତ୍ୟା କରିଛି ଗୋବିନ୍ଦ

ବଲାଙ୍ଗିର ୨୦/୧୦: (ସଂକେତ ଟିଭି) କଳାହାଣ୍ଡି ମହାଲିଙ୍ଗ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କୁ ସ୍କୁଲ ପରିଚାଳନା ସଭାପତି ଗୋବିନ୍ଦ ସାହୁ ଯୋଜନାବଦ୍ଧ ଭାବେ ହତ୍ୟା କରିଛି । ଗତ ୮ତାରିଖରେ ଗାଡ଼ି ଭିତରେ ମମିତାଙ୍କୁ ହତ୍ୟା କରାଯାଇଥିଲା । କଳାହାଣ୍ଡିର କୁଡସିରାଠାରେ ଗାଡି ଭିତରେ ହତ୍ୟା କରିଥିବା ସୂଚନା ମିଳିଛି । ୯ ତାରିଖରେ ଗୋବିନ୍ଦ ମହଲିଙ୍ଗରେ ନିର୍ମାଣଧୀନ ଷ୍ଟାଡିୟମରେ ପୂର୍ବରୁ ଖୋଲା ଯାଇଥିବା ଗାତରେ ପୋତାଯାଇଥିଲା ।

ଗୋବିନ୍ଦଙ୍କ ପରକୀୟା ପ୍ରୀତି ବାବଦରେ ମମିତା ଜାଣିଥିଲେ । ଆଉ ମମିତାଙ୍କ ପାଖରେ ଏହି ପରକୀୟା ପ୍ରୀତି ବାବଦରେ ପ୍ରମାଣ ମଧ୍ୟ ଥିଲା । କିଛି ଦିନ ତଳେ ମମିତା ପ୍ରମାଣକୁ ନେଇ ଗୋବିନ୍ଦଙ୍କୁ ଧମକାଇଥିଲେ । କାଳେ ଏହି ଘଟଣା ବାହାରକୁ ଆସିଯିବ ସେଥିପାଇଁ ମମିତାଙ୍କୁ ହତ୍ୟା କରାଯାଇଥିବା ପୋଲିସ କହିଛି । ତେଣୁ ତାଙ୍କୁ ରାସ୍ତାରୁ ହଟାଇବାକୁ ଗୋବିନ୍ଦ ଯୋଜନା କରିଥିଲେ । ମମିତାଙ୍କୁ ପୂର୍ବ ଯୋଜନା ମୁତାବକ ଭବାନୀପାଟଣା ଡାକିଥିଲେ ଗୋବିନ୍ଦ । ଆଉ ୮ ତାରିଖ ଦିନ ଭବାନୀପାଟଣାରୁ କେ ଗାଁକୁ ଫେରୁଥିବା ରାସ୍ତାରେ ମମିତାଙ୍କୁ ହତ୍ୟା କରାଯାଇଥିଲା । ତେବେ ତଣ୍ଟି ଚିପି ହତ୍ୟା କରାଯାଇଛି କି ନାହିଁ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ହତ୍ୟା କରିବା ପରେ ମମିତାଙ୍କ ମୃତଦେହକୁ ସାଥୀରେ ନେଇଯାଇଥିଲା ଗୋବିନ୍ଦ । ହତ୍ୟା ପରେ ଅନ୍ଧାର ହେଲା ପରେ ମୃତଦେହକୁ ଷ୍ଟାଡିୟମକୁ ନେଇ ଗୋବିନ୍ଦ ପୋଡିଥିଲେ । ପରଦିନ ସକାଳେ ଜେସିବି ମେସିନରେ ଉକ୍ତ ମୃତଦେହକୁ ପୋତାଯାଇଥିଲା ।

ସିସିଟିଭି ଫୁଟେଜରୁ ପ୍ରମାଣ ସଂଗ୍ରହ ହୋଇଛି । ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ କରିଥିବା ପ୍ରାଥମିକ ତଦନ୍ତ ବେଳେ ଜଣାପଡ଼ିଥିବା ଉତ୍ତରାଞ୍ଚଳ ଡିଆଇଜି ଡା. ଦୀପକ କୁମାର କହିଛନ୍ତି ।

ଡିଆଇଡି କହିଛନ୍ତି, ମମିତା ମେହେରଙ୍କୁ ଗୋବିନ୍ଦ ସାହୁ ହିଁ ହତ୍ୟା କରିଛି । ହତ୍ୟା ମାମଲାରେ ପ୍ରାଥମିକ ତଦନ୍ତ ସରିଛି । ମମିତାଙ୍କୁ କାର୍‌ ଭିତରେ ହତ୍ୟା କରାଯାଇଛି । ତଣ୍ଟି ଚିପି ହତ୍ୟା ନା ଅନ୍ୟ ଉପାୟରେ ହତ୍ୟା କରାଯାଇଛି ସ୍ପଷ୍ଟ ହୋଇନି । ଗୋବିନ୍ଦ ନିଜ ପରକୀୟା ପ୍ରୀତି ପ୍ରଘଟ ହେବା ଆଶଙ୍କାରେ ହତ୍ୟା କରିଛି ।

ହତ୍ୟା ପରେ କାର୍‌ରେ ମୃତଦେହ ମହାଲିଙ୍ଗକୁ ନିଆଯାଇଥିଲା । ସେଠାରେ କାର୍ଡ ବୋର୍ଡ ଓ ଟାୟାର ଜାଳି ମୃତଦେହ ପୋଡି ଦେଇଥିଲେ । ଏହାପରେ ଷ୍ଟାଡିୟମ ପରିସରରେ ପୋଡା ମୃତଦେହ ପୋତି ଦେଇଥିଲେ ।

ଭବାନୀପାଟଣା ସ୍ଥାନୀୟ ଅଞ୍ଚଳରେ ୪୫ରୁ ୬୦ କିମି ଯାଏ CCTV ଯାଞ୍ଚ କରିଥଲା ପୋଲିସ । ସିସିଟିଭି ଫୁଟେଜ ଜରିଆରେ ଅନେକ ତଥ୍ୟ ହାସଲ ହୋଇଛି । ଯଥେଷ୍ଟ ପ୍ରମାଣ ଆଧାରରେ ଜଣଙ୍କୁ ଗିରଫ କରାଯାଇଛି । ତଦନ୍ତରୁ ଅନେକ ତଥ୍ୟ ମିଳିଛି । ଆହୁରି କିଛି ତଥ୍ୟ ମିଳିବ ବୋଲି ଆଶଙ୍କା କରାଯାଉଛି ବୋଲି ଡିଆଇଜି କହିଛନ୍ତି ।

ଅପରପକ୍ଷେ, ବଲାଙ୍ଗୀର ପୋଲିସ ଗୋବିନ୍ଦ ସମେତ ୪ ଜଣଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ରଖି ପଚରାଉଚୁରା କରି ବଙ୍ଗୋମୁଣ୍ଡା ଥାନାକୁ ନେବା ପରେ କୋର୍ଟରେ ହାଜର କରିଥିବା ସୂଚନା ମିଳିଛି । ପୋଲିସ ଗୋବିନ୍ଦକୁ ୫ ଦିନିଆ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରାଯାଇଛି । ରିମାଣ୍ଡରେ ଆଣିବା ପରେ ହତ୍ୟା ପରବର୍ତ୍ତୀ ତଥ୍ୟ ଓଗାଳିବାକୁ ଚେଷ୍ଟା କରିବ ।