ହିନ୍ଦି ଫିଲ୍ମ ଇଣ୍ଡଷ୍ଟ୍ରିରେ ୨୦ ବର୍ଷ ପୂରଣ କଲେ ଅଭିନେତ୍ରୀ ଦିୟା ମିର୍ଜା

ମୁମ୍ବାଇ (ସଂକେତ ଟିଭି) ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ୨୦ ବର୍ଷ ପୂରଣ କରିଛନ୍ତି ଅଭିନେତ୍ରୀ ଦିୟା ମିର୍ଜା । ଫିଲ୍ମ “ରହନା ହୈ ତେରେ ଦିଲ୍ ମେଁ’ ଜରିଆରେ ବଲିଉଡ୍ରେ ଡେବୁ୍ୟ କରି ନିଜର ଅଭିନୟଦକ୍ଷତାକୁ ଦର୍ଶକଙ୍କ ପାଖରେ ପହଞ୍ଚାଇଥିଲେ । ବଲିଉଡରେ ୨୦ ବର୍ଷ ପୂର୍ତ୍ତି ଅବସରରେ ଦିୟା ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି ।

ଅଭିନେତ୍ରୀ ଦିୟା ନିଜର ଡେବ୍ଯୁ ଫିଲ୍ମ ରହନା ହୈ ତେରେ ଦିଲ୍ ମେଁର ଏକ ପୋଷ୍ଟର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅପଲୋଡ୍ କରିଛନ୍ତି । ଆର୍ ମାଧବାନ ଏବଂ ସୈଫ୍ ଅଲ୍ଲୀ ଖାନ ସହ ତାଙ୍କ ଫଟୋ ଥିବା ଫିଲ୍ମର ଏକ ପୋଷ୍ଟର ସେୟାର କରିଛନ୍ତି । ଏହାସହ ଏହି ୨୦ ବର୍ଷର ଯାତ୍ରା ତାଙ୍କ ପାଇଁ ଅଦ୍ଭୁତ ଥିଲା ଏବଂ ତାଙ୍କ ପ୍ରଶଂସକଙ୍କୁ ପୋଷ୍ଟରେ ଧନ୍ୟବାଦ ଜଣାଇଛନ୍ତି ।

ଏହି ଫିଲ୍ମରୁ ଗୌତମ ନିର୍ଦ୍ଦେଶନା ଦେଇଥିଲେ । ଫିଲ୍ମଟି ମୁଖ୍ୟତଃ ଆର ମାଧବନ ଏବଂ ଦିୟା ମିର୍ଜାଙ୍କ ପ୍ରେମ କାହାଣୀ ଉପରେ ଆଧାରିତ ହୋଇଥିଲା । ସେତେବେଳେ ଫିଲ୍ମଟି ବକ୍ସ ଅଫିସରେ ସଫଳ ବ୍ୟବସାୟ କରିପାରିନଥିଲେ ମଧ୍ୟ ଫିଲ୍ମର ଗୀତଗୁଡ଼ିକ ଆଜି ବି ସିନେପ୍ରେମୀଙ୍କ ମଧ୍ୟରେ ସ୍ୱତନ୍ତ୍ର ସ୍ଥାନ ନେଇଛି ।

ଖାସ୍ କରି “ଜରା ଜରା’ ଏବଂ “ସଚ୍ କହ ରହା ହୈ ଦିଓ୍ୱାନା’ ଗୀତକୁ ସମସ୍ତେ ପସନ୍ଦ କରନ୍ତି । ଏହି ଫିଲ୍ମ ପରେ ଦିୟା ବଲିଉଡରେ ଅନେକ ଫିଲ୍ମରେ କାମ କରିବା ପାଇଁ ସୁଯୋଗ ପାଇଥିଲେ । ଦିଓ୍ୱାନପନ, ତୁମକୋ ନ ଭୁଲ୍ ପାଏଁଗେ, ଦମ୍, ପରିଣୀତା, ଲଗେ ରହୋ ମୁନ୍ନାଭାଇ ପରି ଫିଲ୍ମରେ ତାଙ୍କର ଚମତ୍କାର ଅଭିନୟ ବେଶ୍ ପ୍ରଶଂସନୀୟ ହୋଇପାରିଛି । ତେବେ ସିନେମା ଜଗତରେ ପାଦ ଦେବା ପୂର୍ବରୁ ଦିୟା ମିର୍ଜ୍ଜା ମିସ୍ ଏସିଆ ପାସିଫିକର ଟାଇଟଲ ଜିତିଥିଲେ । ଶେଷ ଥର ପାଇଁ ୨୦୨୦ରେ ମୁକ୍ତିଲାଭ କରିଥିବା ଫିଲ୍ମ ଥପ୍ପଡରେ ଜଣେ ସିଙ୍ଗଲ୍ ମଦର୍ ଭୂମିକାରେ ନଜର ଆସିଥିଲେ ।