ପୁଣି ବଢିଲା କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ ୨୧।୧୦ : (ସଂକେତ୍ ଟିଭି) ଦୀପାବଳି ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର । କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀ ଓ ପେନସନ୍ ଭୋଗୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି । ଏଣିକି ସେମାନେ ୩ ପ୍ରତିଶତ ଅଧିକ ମହଙ୍ଗା ଭତ୍ତା ପାଇବେ । ଏହି ବର୍ଧିତ ହାର ଗତ ଜୁଲାଇ ୧ ତାରିଖରୁ ଲାଗୁ ହେବ ।

ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କୁ ୨୮ ପ୍ରତିଶତ ମହଙ୍ଗା ଭତ୍ତା ମିଳୁଥିଲା । ଏବେ କ୍ୟାବିନେଟ୍‌ ବୈଠକରେ ଏ ନେଇ ମଞ୍ଜୁରୀ ମିଳିବା ପରେ ଏଣିକି ୩୧ ପ୍ରତିଶତ ଡିଏ ପାଇବେ କେନ୍ଦ୍ରୀୟ କର୍ମଚାରୀ । ପ୍ରାୟ ୧ କୋଟିରୁ ଉର୍ଦ୍ଧ୍ବ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନ୍‌ ଉପଭୋକ୍ତା ଏହାର ଫାଇଦା ପାଇବେ ।

ଏହି ପଦକ୍ଷେପ ଦ୍ୱାରା ପ୍ରାୟ ୪୭.୧୪ ଲକ୍ଷ କେନ୍ଦ୍ରୀୟ ସରକାରୀ କର୍ମଚାରୀ ଏବଂ ୬୮.୬୨ ଲକ୍ଷ ପେନସନଭୋଗୀ ଉପକୃତ ହେବେ। ଏନେଇ ବାର୍ଷିକ ୯,୪୮୮.୭୦ କୋଟି ଟଙ୍କା ଖର୍ଚ୍ଚ ହେବ।

ସୂଚନା ଅନୁସାରେ, ଆଜି କେନ୍ଦ୍ରୀୟ କର୍ମଚାରୀ ଓ ପେନସନ ଭୋଗୀଙ୍କୁ ଦେବାକୁ ଥିବା ମହଙ୍ଗା ଭତ୍ତା ବୃଦ୍ଧି କରିବା ନେଇ ଏକ କ୍ୟାବିନେଟ ବୈଠକ ବସିଥିଲା । ଏହି ବୈଠକରେ ମହଙ୍ଗା ଭତ୍ତାକୁ ୩ ପ୍ରତିଶତ ବୃଦ୍ଧି କରାଯାଇଥିବା କୁହାଯାଉଛି ।

ଆଜି ଏହି ମହଙ୍ଗା ଭତ୍ତା ବୃଦ୍ଧି ଫଳରେ ମହଙ୍ଗା ଭତ୍ତା ୩୧ ପ୍ରତିଶତ ହୋଇଯିବ । ଚଳିତ ବର୍ଷ ଜୁଲାଇ ମାସରେ କେନ୍ଦ୍ର ମନ୍ତ୍ରିମଣ୍ଡଳ କେନ୍ଦ୍ରୀୟ କର୍ମଚାରୀ ଓ ପେନସନ୍ ଭୋଗୀଙ୍କ ମହଙ୍ଗା ଭତ୍ତା ଜୁଲାଇ ୧ ତାରିଖରୁ ୧୧ ପ୍ରତିଶତ ବୃଦ୍ଧି କରିବାର ନିଷ୍ପତ୍ତି ନେଇଥିଲେ । ଏହାଦ୍ୱାରା ମହଙ୍ଗା ଭତ୍ତା ୧୭ ପ୍ରତିଶତରୁ ବୃଦ୍ଧି ପାଇ ୨୮ ପ୍ରତିଶତ ହୋଇଥିଲା । ଆଜି ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି ଫଳରେ ମହଙ୍ଗା ଭତ୍ତା ୩୧ ପ୍ରତିଶତରେ ପହଞ୍ଚିଛି । ଅର୍ଥାତ କେନ୍ଦ୍ର କର୍ମଚାରୀମାନଙ୍କୁ ସେମାନଙ୍କ ମୂଳ ଦରମାର ୩୧ ପ୍ରତିଶତ ଅଧିକ ମହଙ୍ଗା ଭତ୍ତା ମିଳିବ।

ମହଙ୍ଗା ଭତ୍ତା ବଢିବା ଫଳରେ ଅନ୍ୟ ସୁବିଧାଗୁଡିକରେ ମଧ୍ୟ ଫାଇଦା ପାଇବେ କେନ୍ଦ୍ର ସରକାରୀ କର୍ମଚାରୀ । ଟ୍ରାଭେଲ୍‌ ଆଲୋଏନ୍ସ ଏବଂ ସିଟି ଆଲୋଏନ୍ସ ବୃଦ୍ଧି ପାଇବା ସହିତ ଅବସର ପରେ ପ୍ରୋଭିଟେଣ୍ଟ ଫଣ୍ଡ ଏବଂ ଗ୍ରାଚ୍ୟୁଟି ମଧ୍ୟ ବୃଦ୍ଧି ପାଇବ । ଉଦାହରଣ ସ୍ବରୂପ କେନ୍ଦ୍ର କର୍ମଚାରୀଙ୍କ ନ୍ୟୁନତମ ଦରମା ୧୮ ହଜାର ଟଙ୍କା ହେଲେ ତାଙ୍କର ନୂଆ ମହଙ୍ଗା ଭତ୍ତା ୫୫୮୦ (୩୧ପ୍ରତିଶତ) ଟଙ୍କା ରହିବ । ପୂର୍ବରୁ ୨୮ ପ୍ରତିଶତ ହିସାବରେ ୫୦୪୦ ଟଙ୍କା ମିଳୁଥିଲା । ସେହିପରି ହିସାବ କରିବାକୁ ଗଲେ କେନ୍ଦ୍ର କର୍ମଚାରୀଙ୍କ ବାର୍ଷିକ ଦରମାରେ ୬୪୮୦ ଟଙ୍କା ବୃଦ୍ଧି ଘଟିବ ।