ଫୁଟବଲର ପ୍ରଖ୍ୟାତ କ୍ଳବ ମାଞ୍ଚେଷ୍ଟର ୟୁନାଇଟେଡ୍‌ର ମାଲିକ କିଣିବେ ଆଇପିଏଲ ଟିମ୍ !

ଦୁବାଇ ୨୧।୧୦ : (ସଂକେତ୍ ଟିଭି) ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ସଫଳତା ଦେଖି ବିଶ୍ବର ପ୍ରାୟ ସମସ୍ତ ଷ୍ଟାର କ୍ରିକେଟର ଏହି ଲିଗ୍‌ରେ ଅଂଶଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରୁଥିବାବେଳେ ଏବେ ବିଶ୍ବର ପ୍ରତିଷ୍ଠିତ ବ୍ୟବସାୟିକ ସଂସ୍ଥାଗୁଡିକଙ୍କର ନଜର ଏହା ଉପରେ ରହିଛି ।

୨୦୨୨ ସଂସ୍କରଣର ଆଇପିଏଲ୍‌ରେ ଆଉ ଅଧିକ ଦୁଇଟି ଟିମ ସାମିଲ ହେବେ ଅର୍ଥାତ ୮ଟି ଟିମ ବଦଳରେ ଟୁର୍ଣ୍ଣାମେଣ୍ଟରେ ୧୦ଟି ଟିମ୍‌ ଖେଳିବେ । ଦୁଇ ନୂଆ ଆଇପିଏଲ ଟିମର ମାଲିକାନା ଓ ପରିଚାଳନା ଅନୁମତି ହାତେଇବା ପ୍ରକ୍ରିୟା ଟେଣ୍ଡର ପ୍ରକ୍ରିୟାରେ ମାଧ୍ୟମରେ ସ୍ଥିର ହେବ ।

ଫୁଟବଲର ପ୍ରଖ୍ୟାତ କ୍ଳବ ମାଞ୍ଚେଷ୍ଟର ୟୁନାଇଟେଡ୍‌ ମାଲିକ ଆମେରିକାର ଗ୍ଳେଜର ଫ୍ୟାମାଇ ଆଇପିଏଲ ଟିମ୍ କିଣିବା ପାଇଁ ଆଗ୍ରହ ପ୍ରକାଶ କରିଥିବା ଜଣାପଡିଛି । ଫ୍ଯାମାଇ ନିଲାମ ହେବାକୁ ଥିବା ଦୁଇଟି ଟିମରୁ ଗୋଟିଏକୁ କିଣିବେ ବୋଲି ଜଣାପଡିଛି । ଏଥିପାଇଁ ଫ୍ଯାମାଇ ଭାରତରେ ଗୋଟିଏ କମ୍ପାନୀ ଲଞ୍ଚ କରିବା ପରେ ବିସିସିଆଇ ନିୟମ ଅନୁସାରେ ଟେଣ୍ଡରରେ ଅଂଶଗ୍ରହଣ କରିପାରିବେ ।

ଗଣମାଧ୍ଯମ ରିପୋର୍ଟ ଆନୁସାରେ ଏହି କାରଣରୁ ବୋଧହୁଏ ବିସିସିଆଇ ସେପ୍ଟେମ୍ବର ୨୧ରେ ଟେଣ୍ଡର ନିମନ୍ତ୍ରଣ କିଣିବା ଅବଧିକୁ ଅକ୍ଟୋବର ୫ ରୁ ଅକ୍ଟୋବର ୧୦ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିବା ନେଇ ଘୋଷଣା କରିଥିଲା ।

ଅଗଷ୍ଟ ୩୧, ୨୦୨୧ରେ ଆଇପିଏଲର ପରିଚାଳନା ପରିଷଦ ଇନଭିଟେସନ ଡକ୍ୟୁମେଣ୍ଟ କିଣିବାକୁ ବିଜ୍ଞପ୍ତି ଜାରି କରିଥିଲା । ଏହାପରେ ଡକ୍ୟୁମେଣ୍ଟ କିଣି ଟେଣ୍ଡର ପ୍ରକ୍ରିୟାରେ ସାମିଲ ହେବାର ଶେଷ ତାରିଖ ଅକ୍ଟୋବର ୧୦ ପର୍ଯ୍ୟନ୍ତ କରାଯାଇଥିବା ନେଇ ବିସିସିଆଇ ସମ୍ପାଦକ ଜୟ ଶାହ ସ୍ପଷ୍ଟ କରିଥିଲେ ।