ଅଧ୍ଯକ୍ଷା ମମିତା ମେହେର ହତ୍ୟା ମାମଲା : ଗୋବିନ୍ଦଙ୍କ ଡ୍ରାଇଭର ରାଧେଶ୍ଯାମ ଗିରଫ

କଳାହାଣ୍ଡି ୨୧।୧୦ : (ସଂକେତ୍ ଟିଭି) ମହାଲିଙ୍ଗ୍ ସ୍ଥିତ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ଯକ୍ଷା ମମିତା ହତ୍ୟାକାଣ୍ଡ ମାମଲାରେ ଗୋବିନ୍ଦଙ୍କ ସହଯୋଗୀ ତଥା ତା‌ଙ୍କ ଡ୍ରାଇଭର ରାଧେଶ୍ୟାମ ଚଣ୍ଡିଙ୍କୁ ବଲାଙ୍ଗୀର ପୋଲିସ ଗିରଫ କରିଛି । ତାକୁ ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ହାଜର କରାଯାଇଛି ।

ତେବେ ଅନ୍ୟ ଦୁଇ ଜଣ ଜେସିବି ଡ୍ରାଇଭର ପୁଷ୍କର ଭୋଇ ଓ ରାତ୍ର ଜଗୁଆଳୀ ଗୁପ୍ତେଶ୍ବର ତାଣ୍ଡିକୁ ବଲାଙ୍ଗୀର ପୋଲିସ ରାଜ ସାକ୍ଷୀ କରିଥିବା ସୂତ୍ରରୁ ସୂଚନା ମିଳିଛି । ଉଭୟଙ୍କୁ ପୋଲିସ ଛାଡି ଦେଇଥିବା ଜଣାପଡିଛି ।

ସେପଟେ ଏହି ଘଟଣାରେ ଛାତ୍ରୀ ଓ ଶିକ୍ଷକଙ୍କୁ ପଚରାଉଚରା କରାଯାଉଛି । ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନାରେ ସନସାଇନ୍ କଲେଜର ଜଣେ ଛାତ୍ରୀ ଓ ଜଣେ ଶିକ୍ଷକଙ୍କୁ ପଚରାଉଚରା କରାଯାଉଛି ।

ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ବଲାଙ୍ଗୀର ପୋଲିସ ୫ ଦିନିଆ ରିମାଣ୍ଡରେ ନେଇଛି । ପୋଲିସ ହତ୍ୟା ସମ୍ପର୍କରେ ଅଧିକ ପଚରାଉଚରା ଜାରି ରଖିଛି। ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଏବଂ ବଲାଙ୍ଗୀର ଏସପି ଘଟଣାର ତନାଘନା ଚଳାଇଛନ୍ତି । ଘଟଣାର ଅଧିକ ତଦନ୍ତ ପାଇଁ ଡିଆଇଜି ଓ ବଲାଙ୍ଗୀର ଏସପି ସିନ୍ଧେକେଲା ଥାନାରେ ପହଞ୍ଚିଥିଲେ । ସିନ୍ଧେକେଲା ଥାନାରେ କିଛି ସମୟ ରହି କଳାହାଣ୍ଡି ଜିଲ୍ଲାର କେଗାଁ ଥାନା ଓ ମହାଲିଙ୍ଗ ଯାଇ ସ୍ପଟ୍ ଭେରିଫିକେସନ କରିବାକୁ ଯାଇଛନ୍ତି ।