ସ୍କୁଲ ଅଧ୍ୟକ୍ଷା ମମିତା ମେହେର ମୃତ୍ୟୁ ଘଟଣା : କେଗାଁ ଥାନା ଆଇଆଇସି ଡମୁ ପରଜା ନିଲମ୍ବିତ

କଳାହାଣ୍ଡି ୨୧।୧୦ : (ସଂକେତ୍ ଟିଭି) ବହୁଚର୍ଚ୍ଚିତ କଳାହାଣ୍ଡି ମହାଲିଙ୍ଗସ୍ଥିତ ସନ୍‌ସାଇନ୍‌ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ମୃତ୍ୟୁ ଘଟଣାରେ କେଗାଁ ଥାନା ଆଇଆଇସି ଡମୁ ପରଜା ନିଲମ୍ବିତ ହୋଇଛନ୍ତି। ତାଙ୍କୁ କଳାହାଣ୍ଡି ଏସପି ଶ୍ରବଣ ବିବେକ ନିଲମ୍ବନ କରିଛନ୍ତି।

ସୂଚନା ଅନୁସାରେ ଗତ ୮ ତାରିଖରେ ମମିତା ମେହେର ଯେତେବେଳେ ନିଖୋଜ ହୋଇଗଲେ, ତାଙ୍କ ପରିବାରର ଏତଲା ଦେବା ନାଇଁ କେଗାଁ ଥାନାକୁ ଯାଇଥିଲେ। କିନ୍ତୁ ଆଇଆଇସି ଡମୁ ପରଜା ମମିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ରଖି ନଥିଲେ। ଫଳରେ ପରିବାର ଲୋକଙ୍କୁ ହତାଶ ହୋଇ ଫେରିବାକୁ ପଡ଼ିଥିଲା।

ତେବେ ମମିତାଙ୍କ ମୃତଦେହ ଅକ୍ଟୋବର ୧୯ ତାରିଖରେ ଠାବ ହେବା ପରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ମେହେର ଓ ତା’ର ସହଯୋଗୀ ତଥା ଡ୍ରାଇଭର ରାଧେଶ୍ୟାମ୍‌ ଚଣ୍ଡି ଗିରଫ ହେବା ପରେ ଘଟଣାର ତଦନ୍ତ ପ୍ରକ୍ରିୟା ଜାରି ରହିଛି। ଏହି ତଦନ୍ତ ସମୟରେ କେଗାଁ ଥାନା ଆଇଆଇସି କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି।

ସେପଟେ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ୫ ଦିନିଆ ରିମାଣ୍ଡରେ ନେଇଛି ବଲାଙ୍ଗୀର ପୋଲିସ । ହତ୍ୟା ସମ୍ପର୍କରେ ଅଧିକ ପଚରାଉଚରା ଜାରି ରଖିଛି ପୋଲିସ । ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଏବଂ ବଲାଙ୍ଗୀର ଏସପି ଘଟଣାର ତନାଘନା ଚଳାଇଛନ୍ତି । ଗୋବିନ୍ଦ ସାହୁକୁ ଜେରା କରିବା ସହ ଅଧିକ ତଦନ୍ତ ଚଳାଇଛନ୍ତି ଡିଆଇଜି ଏସପି । ଘଟଣାର ଅଧିକ ତଦନ୍ତ ପାଇଁ ସିନ୍ଧେକେଲା ଥାନାରେ ପହଞ୍ଚିଥିଲେ ଡିଆଇଜି ଓ ବଲାଙ୍ଗୀର ଏସପି । ସିନ୍ଧେକେଲା ଥାନାରେ କିଛି ସମୟ ରହି କଳାହାଣ୍ଡି ଜିଲ୍ଲାର କେଗାଁ ଥାନା ଓ ମହାଲିଙ୍ଗ ଯାଇ ସ୍ପଟ୍ ଭେରିଫିକେସନ କରିବାକୁ ଯାଇଛନ୍ତି ।