ବିନା ଛୁଞ୍ଚିରେ ଶିଶୁଙ୍କୁ ଦିଆଯିବ କରୋନା ଟିକା

ଭୁବନେଶ୍ବର ୨୨/୧୦: (ସଂକେତ ଟିଭି) ବିନା ଛୁଞ୍ଚିରେ ଶିଶୁଙ୍କୁ ଦିଆଯିବ କରୋନା ଟିକା । ଯେହେତୁ ପିଲାମାନେ ଇଞ୍ଜେକ୍ସନକୁ ଟିକେ ଡରନ୍ତି, ତେଣୁ ସେମାନଙ୍କୁ ଫର୍ମା ଡେପ୍‌ଥ ଟେକ୍ନୋଲୋଜି ମାଧ୍ୟମରେ ଟିକା ଦିଆଯିବ। ଏଥିପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଆସିବ। ରରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି ।

ରାଜ୍ୟରେ ୨ ବର୍ଷ ରୁ ୧୮ ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କୁ ଟିକା ଦିଆଯିବ। ରାଜ୍ୟରେ ୧ କୋଟି ୪୦ ଲକ୍ଷ ଶିଶୁ ଅଛନ୍ତି। ଯଦି ଏକା ସାଙ୍ଗେ ଆମେ ଶିଶୁମାନଙ୍କୁ ଟିକା ଦେବା ପାଇଁ ଆରମ୍ଭ କରିବୁ, ତେବେ ଆମକୁ ଟିକାକାରଣ କେନ୍ଦ୍ର ସଂଖ୍ୟା ବଢ଼ାଇବାକୁ ପଡ଼ିବ। ନିର୍ଦେଶ ଆସିବା ମାତ୍ରେ ଆମେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବୁ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ସେମାନଙ୍କୁ ଡିସିଜିଆଇ ପକ୍ଷରୁ ସ୍ବୀକୃତିପ୍ରାପ୍ତ ଭାରତ ବାୟୋଟେକର କୋଭାକ୍ସିନ ଟିକା ଦିଆଯିବ ।

ବର୍ତ୍ତମାନ ସୁଦ୍ଧା ୩ କୋଟି ୫୦ ଲକ୍ଷ ଡୋଜ ଟିକା ଦିଆସାରିଲାଣି। ଏଥିମଧ୍ୟରୁ ଏଯାବତ୍ ୨ କୋଟି ୪୭ ଲକ୍ଷ ପ୍ରଥମ ଡୋଜ (୭୮%)ଓ ୧ କୋଟି ୩ଲକ୍ଷ ଦ୍ୱିତୀୟ ଡୋଜ (୩୩%) ଦିଆସାରିଛି। ଆଜି ୧୮୩୦ଟି ଟିକାକରଣ କେନ୍ଦ୍ରରେ ଟିକାକରଣ କରାଯାଉଛି। ବର୍ତ୍ତମାନ ରାଜ୍ୟରେ୨୪ ଲକ୍ଷ ଟିକା ମହଜୁଦ ଅଛି ବୋଲି ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।