କରୋନା ଯୋଗୁଁ ୨ ବର୍ଷ କମିଛି ମଣିଷର ଆୟୁ ସୀମା

ନୂଆଦିଲ୍ଲୀ, ୨୪/୧୦: (ସଂକେତ ଟିଭି) କରୋନା ଯୋଗୁ ଭାରତୀୟଙ୍କ ଆୟୁ ସୀମା ୨ ବର୍ଷ ହ୍ରାସ ପାଇଛି । ଉଭୟ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ଏହି ମହାମାରୀ ଯୋଗୁ ଏହା ଦେଖାଦେଇଥିବା ବିଏମସି ପବ୍ଲିକ୍ ହେଲଥ ଜର୍ଣ୍ଣାଲରେ ପ୍ରକାଶ ପାଇଛି । ଆଇଆଇପିଏସ୍ ପ୍ରଫେସର ସୂର୍ଯ୍ୟକାନ୍ତ ଯାଦବଙ୍କ ଦ୍ୱାରା କରାଯାଇଥିବା ବିଶ୍ଳେଷଣାତ୍ମକ ରିପୋର୍ଟରେ ଏହା ଉଲ୍ଲେଖ ରହିଛି ।

ରିପୋର୍ଟ ଅନୁଯାୟୀ କରୋନା ମହାମାରୀ ଯୋଗୁ ବିଭିନ୍ନ ସ୍ତରରେ ଲୋକଙ୍କ ଜୀବନ ଉପରେ ପ୍ରଭାବ ପଡିଛି । ଏଥିଯୋଗୁଁ ଆୟୁ ସୀମା ପ୍ରାୟ ୨ ବର୍ଷ ହ୍ରାସ ପାଇଛି । ବିଭିନ୍ନ ପରିସଂଖ୍ୟାନକୁ ବିଶ୍ଳେଷଣ କରାଯାଇ ଆଇଆଇପିଏସ୍ ଦ୍ୱାରା ଏହି ତଥ୍ୟ ଉଲ୍ଲେଖ କରାଯାଇଛି ।

ବିଶ୍ଲେଷଣର ରିପୋର୍ଟ ଅନୁଯାୟୀ ୨୦୧୯ରେ ପୁରୁଷଙ୍କ ଆୟୁ ସୀମା ୬୯.୫ ଥିବାବେଳେ ମହିଳାଙ୍କ କ୍ଷେତ୍ରରେ ୭୨ ବର୍ଷ ଥିଲା । ୨୦୨୦ରେ ଏହା ପୁରୁଷଙ୍କ କ୍ଷେତ୍ରରେ ୬୭.୫ ବର୍ଷ ଓ ମହିଳାଙ୍କ କ୍ଷେତ୍ରରେ ୬୯.୮ ବର୍ଷ ହୋଇଛି ।

ଆୟୁ ସୀମା ନବଜାତକଙ୍କ ବର୍ଷରୁ ହାରାହାରି ସଂଖ୍ୟା ଦିଆଯାଇ ଆକଳନ କରାଯାଇଛି । ଜନ୍ମ ସମୟରୁ ବଞ୍ଚିବାର ଶୈଳୀକୁ ନେଇ ଭବିଷ୍ୟତକୁ ଆକଳନ କରାଯାଇଛି । ପ୍ରଫେସର ଯାଦବ ଏହି ବିଶ୍ଳେଷଣରେ ଲମ୍ବା ଜୀବନର ଅସମାନତାକୁ ବିଶ୍ଳେଷଣ କରିଛନ୍ତି ।

ଏଥିରୁ ଜଣାପଡିଛି ଯେ କୋଭିଡ-୧୯ ଯୋଗୁ ୩୯ ବର୍ଷରୁ ୬୯ ବର୍ଷ ପର୍ଯ୍ୟନ୍ତ ବହୁ ପୁରୁଷଙ୍କର ଜୀବନ ଯାଇଛି । ୩୫ ରୁ ୭୯ ବର୍ଷ ବୟସ୍କଙ୍କ ମଧ୍ୟରେ ସର୍ବାଧିକ ମୃତ୍ଯୁ ୨୦୨୦ରେ ହୋଇଛି । ଅନ୍ୟାନ୍ୟ ସାଧାରଣ ବର୍ଷ ତୁଳନାରେ ଏହା ସର୍ବାଧିକ ।

ଏହି ଗବେଷଣାଟି କୋଭିଡ ଯୋଗୁ ଦେଶରେ ମୃତ୍ଯୁହାରର ବୋଝ କେତେ ବଢ଼ିଛି ତାହା ବିଶ୍ଳେଷଣ କରାଯାଇଥିବା ଆଇଆଇପିଏସ ନିର୍ଦ୍ଦେଶକ ଡ. କେଏସ୍ ଜେମ୍ସ କହିଛନ୍ତି । ଯେଉଁ ସମୟରେ ଆମେ ମହାମାରୀ ଦ୍ୱାରା ସଂକ୍ରମିତ ହୋଇଥାଉ ସେତେବେଳେ ଆୟୁ ସୀମା ନିମ୍ନଗାମୀ ହୋଇଥାଏ ।

ଉଦାହରଣ ସ୍ୱରୂପ ଏଚ୍ଆଇବି ଏଡ୍ସ ମହାମାରୀ ଯୋଗୁ ଆଫ୍ରିକାରେ ଆୟୁ ସୀମା ନିମ୍ନ ହୋଇଥିଲା । ପରବର୍ତ୍ତୀ ସମୟରେ ଏହା ନିୟନ୍ତ୍ରଣକୁ ଆସିଥିଲା । ଆୟୁ ସୀମା ମଧ୍ୟ ଧୀରେ ଧୀରେ ସ୍ୱାଭାବିକ ହୋଇଥିଲା ।