କଂଗ୍ରେସର ୭୦ ବର୍ଷର କଠିନ ପରିଶ୍ରମକୁ ମାତ୍ର ୭ ବର୍ଷରେ ଧୁଳିସାତ୍ କଲା ବିଜେପି : ପ୍ରିୟଙ୍କା ଗାନ୍ଧୀ

ଲକ୍ଷ୍ମୌ, ୩୧/୧୦ : (ସଂକେତ ଟିଭି) କଂଗ୍ରେସର 70 ବର୍ଷର ପରିଶ୍ରମକୁ ବିଜେପି ମାତ୍ର 7 ବର୍ଷରେ ଧୁଳିସାତ କରିଦେଇଛି । କଂଗ୍ରେସ ଦ୍ବାରା 70 ବର୍ଷ ମଧ୍ଯରେ ସ୍ଥାପିତ ରେଳ, ବିମାନବନ୍ଦର, କଳ କାରଖାନା ଏବଂ ବିଭିନ୍ନ ସଂସ୍ଥାକୁ ବିଜେପି ବନ୍ଦ କରିଦେଉଛି କିମ୍ବା ବିକ୍ରି କରିଦେଉଛି । ଏହା କହିଛନ୍ତି କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ।

ଆଜି ପ୍ରିୟଙ୍କା ଯୋଗୀ ଆଦିତ୍ଯ ନାଥଙ୍କ ଗଡ଼ ଗୋରଖପୁରରେ ଏକ ରାଲି କରିଥିଲେ। ଏହି ସମୟରେ ସେ ଯୋଗୀ ସରକାରଙ୍କୁ କଠୋର ଟାର୍ଗେଟ କରିଥିଲେ। ପ୍ରିୟଙ୍କା ଯୋଗୀ ସରକାରକୁ କୃଷକ, ସାର ଅଭାବ, ମହିଳାଙ୍କ ସୁରକ୍ଷା ଏବଂ ରୋଜଗାର ଭଳି ଅନେକ ପ୍ରସଙ୍ଗରେ ଟାର୍ଗେଟ କରିଥିଲେ। ସେ ସିଧାସଳଖ ମୁଖ୍ଯମନ୍ତ୍ରୀ ଯୋଗୀଙ୍କୁ ଟାର୍ଗେଟ କରି କହିଥିଲେ ଯେ ଯୋଗୀ ଆଦିତ୍ୟନାଥଙ୍କ ନିୟମ ଗୁରୁ ଗୋରଖନାଥ ଜୀଙ୍କ ଚିନ୍ତାଧାରାଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ।

ପ୍ରିୟଙ୍କା କହିଥିଲେ ଯେ ଆଜି ଦେଶରେ କୃଷକ ହଇରାଣ ହରକତ ହେଉଛନ୍ତି, ସରକାର ତାଙ୍କ କଥା ଆଦୌ ଶୁଣୁ ନାହାଁନ୍ତି। ଖତ, କୃଷି, ଫସଲ ସବୁ ବଡ ଶିଳ୍ପପତିଙ୍କ ହାତରେ ଦିଆଯାଇଛି । ସାର ପାଇଁ ଲାଇନ ଲାଗିବାକୁ ପଡୁଛି ।ଏହି ସମୟରେ ଅନେକ ଚାଷୀଙ୍କ ମୃତ୍ୟୁ ହୋଇଛି।

ପ୍ରିୟଙ୍କା କହିଛନ୍ତି ଯେ କରୋନା ଅବଧିରେ ଅନେକ ଲୋକ ଚାକିରି ହରାଇଛନ୍ତି, କିନ୍ତୁ ସରକାର କୌଣସି ପଦକ୍ଷେପ ନେଇନାହାଁନ୍ତି। ବେକାରୀ ସମସ୍ଯା ଯୋଗୁଁ ପ୍ରତିଦିନ ଯୁବକମାନେ ଆତ୍ମହତ୍ୟା କରୁଛନ୍ତି । ଯେଉଁମାନଙ୍କର ଚାକିରୀ ଛଡ଼ାଇ ନିଆଯାଇଛି, ସେମାନଙ୍କୁ କୌଣସି ସରକାରୀ ସହାୟତା ଦିଆଯାଇ ନାହିଁ।

ପ୍ରିୟଙ୍କା ଆହୁରି କହିଛନ୍ତି ଯେ କେନ୍ଦ୍ର ସରକାର ସମସ୍ତ ସମ୍ପତ୍ତି ବିକ୍ରି କରୁଛି। କଂଗ୍ରେସ ରେଳ, ବିମାନବନ୍ଦର ସବୁକିଛି ତିଆରି କଲା । 70 ବର୍ଷର କଠିନ ପରିଶ୍ରମ କରି କଂଗ୍ରେସ ଯାହା କରିଥିଲା ତାହା ବିଜେପି ମାତ୍ର 7 ବର୍ଷ ମଧ୍ଯରେ ବିକ୍ରି କରିଦେଇଛି କିମ୍ବା ବନ୍ଦ କରିଦେଇଛି ।

ପ୍ରିୟଙ୍କା କହିଛନ୍ତି ଯେ ହଓ୍ବାଇ ଚପଲ ପିନ୍ଧୁ ଥିବା ଲୋକଙ୍କୁ ବିମାନରେ ବସିବାର ସ୍ୱପ୍ନ ଦେଖାଇ ବିଜେପି କ୍ଷମତାକୁ ଆସିଥିଲା । କିନ୍ତୁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ସାଧାରଣ ଲୋକେ ମୋଟରସାଇକେଲରୁ ଓହ୍ଲାଇ ପାଦରେ ଚାଲିବାକୁ ବାଧ୍ୟ ହୋଇଛନ୍ତି ।