ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ହେଲେ ରାହୁଲ ଦ୍ରାବିଡ

ଦୁବାଇ ୦୩।୧୧: (ସଂକେତ ଟିଭି) ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ଭାରତୀୟ କ୍ରିକେଟ ଦଳର ନୂଆ ମୁଖ୍ୟ କୋଚ୍ ନିଯୁକ୍ତ ହୋଇଛନ୍ତି । ବୁଧବାର ବିସିସିଆଇ ଏନେଇ ବିଜ୍ଞପ୍ତି ଜାରି କରିଛି । ସେ ୨୦୨୩ ପର୍ଯ୍ୟନ୍ତ ଟିମ୍‌ର କୋଚ୍‌ ରହିବେ ।

ଦୁବାଇରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏବଂ ସଂପାଦକ ଜୟ ଶାହା ଦ୍ରାବିଡଙ୍କୁ ଟି-୨୦ ବିଶ୍ବକପ୍‌ ପରେ ଭାରତୀୟ ଟିମ୍‌ର କୋଚ୍‌ ହେବାକୁ ରାଜି କରାଇଥିଲେ। ଭାରତୀୟ ଟିମର କୋଚ ହେବା ସମ୍ମାନର ବିଷୟ ବୋଲି ରାହୁଲ କହିଛନ୍ତି । ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଦ୍ରାବିଡ଼ଙ୍କ ନିଯୁକ୍ତିକୁ ସ୍ବାଗତ କରିଛନ୍ତି । ରାହୁଲଙ୍କର ଏକ ଉଲ୍ଲେଖନୀୟ କ୍ୟାରିୟର ରହିଛି ଓ ସେ ଜଣେ ମହାନ ଖେଳାଳି ବୋଲି ଗାଙ୍ଗୁଲି କହିଛନ୍ତି ।

ସୂଚନାଯୋଗ୍ୟ ଯେ, ବର୍ତ୍ତମାନର ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଆସନ୍ତା ନଭେମ୍ବର ମାସରେ ଶେଷ ହେବ । ଟିମ ଇଣ୍ଡିଆର ନୂଆ କୋଚ ପାଇଁ ବିସିସିଆଇ ଅକ୍ଟୋବର ୨୬ରେ ଆବେଦନ ଆହ୍ବାନ କରିଥିଲା । ରାହୁଲ ଦ୍ରାବିଡ୍‌ ରାଷ୍ଟ୍ରୀୟ କ୍ରିକେଟ ଆକାଡେମୀ (ଏନସିଏ)ର ନିର୍ଦେଶକ ଭାବେ ଦାୟିତ୍ବ ତୁଲାଇଛନ୍ତି । ତେବେ ନ୍ୟୁଜିଲାଣ୍ଡ ବିପକ୍ଷରେ ନଭେମ୍ବର ୧୭ରୁ ଆରମ୍ଭ ହେବାକୁ ଥିବା ସିରିଜ୍‌ ପାଇଁ ରାହୁଲ ଦ୍ରାବିଡ୍‌ କୋଚ୍‌ ଭାବେ କାର୍ଯ୍ୟଭାର ସମ୍ଭାଳିବେ ।